ଅତିଥି ଦେବୋଭବଃ : ବାହାର ରାଜ୍ୟର ଶ୍ରମଜୀବୀଙ୍କ ଲାଗି ରହିବା ଓ ଖାଇବା ସୁବିଧା ଯୋଗାଉଛନ୍ତି ଓଡ଼ିଶା ସରକାର

Published By : Prameya-News7 Bureau | April 08, 2020 IST

ଭୁବନେଶ୍ବର ୦୮.୦୪- ଅତିଥି ସତ୍କାର ଓଡ଼ିଶା ଏବଂ ଓଡ଼ିଆଙ୍କ ସଂସ୍କୃତି ଏବଂ ପରମ୍ପରାର ଏକ ମହାନ ତଥା ଅନନ୍ୟ ଦିଗ । ସେ ଯେ ବି ହେଉନା କାହିଁକି , ତାଙ୍କୁ ସମ୍ମାନର ସହ ଆତିଥ୍ୟ ଦେବା ଓଡିଆ ମାନଙ୍କର ଏକ ପାରମ୍ପରିକ ପ୍ରକୃତି । ସେହି ପରମ୍ପରାକୁ ପାଳନ କରିବାରେ ଓଡ଼ିଶା ସରକାର ଏକ ଉଦାହରଣ ସୃ୍ଷ୍ଟି କରିଛନ୍ତି । କୋଭିଡ ୧୯ ଭାଇରସ୍‌ର ପ୍ରାଦୁର୍ଭାବ ଜନୀତ ଆପଦକାଳୀନ ସମୟରେ ନିଜ ଘରକୁ ଫେରିପାରିନଥିବା  ବାହାର ରାଜ୍ୟର ଶ୍ରମଜୀବୀଙ୍କୁ କେବଳ ଆତିଥ୍ୟ ଦେଇନାହାନ୍ତି ସେମାନଙ୍କ ଖାଇବା , ରହିବା ବ୍ୟବସ୍ଥା ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର ।

 ରାଜ୍ୟସରକାରଙ୍କ ପ୍ରମୂଖ ମୂଖପାତ୍ର ସୁବ୍ରତ ବାଗଚୀଙ୍କ କହିବା ଅନୁଯାୟୀ,  ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୫,୦୦୦ ଅତିଥି ଶ୍ରମଜୀବୀଙ୍କୁ ୧୯୪୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମିକ ମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି ।

ସେହିପରି ବୁଧବାରରାଜ୍ୟର ୫୨୬୪ ଗ୍ରାମ ପଞ୍ଚାୟତରେ ୩,୨୭,୯୫୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ଟି ପୌରାଞ୍ଚଳରେ ୨୭,୬୮୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

 ଏହା ବ୍ୟତୀତ, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ , ଚଳିତ ରବି ଋତୁରେ କୃଷି କାର୍ଯ୍ୟ ଏବଂ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କୃଷକ ଓ କୃଷି ଶ୍ରମଜୀବୀ ସେମାନଙ୍କ କାର୍ଯ୍ୟ ପୂର୍ବ ପରି ଜାରି ରଖିବେ । ଫଳ ଓ ପନିପରିବା ସହିତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଅମଳରେ ନିୟୋଜିତ ଶ୍ରମଜୀବୀମାନେ ସାମାଜିକ ଦୂରତ୍ୱ ବଜାୟ ରଖି କାର୍ଯ୍ୟ କରିବେ । ବିଭିନ୍ନ କୃଷି ସାମଗ୍ରୀ, କୃଷି ଓ ଉଦ୍ୟାନକୃଷି ଉତ୍ପାଦଗୁଡ଼ିକୁ ବିପଣନ ପାଇଁ ଖୁଚୁରା ବେପାରୀ ଓ ପରିବହନ ମାଲିକମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିନା କଟକଣାରେ ପରିବହନ କରିପାରିବେ । ବିହନ, ସାର ଓ କୀଟନାଶକ ଦୋକାନ, ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ବିନା କଟକଣାରେ କାର୍ଯ୍ୟ କରିବେ । କୃଷି ଯନ୍ତ୍ରପାତିର ପରିବହନ ଅବ୍ୟାହତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.