ବିଜେପିରେ ଯୋଗଦେଇପାରନ୍ତି ଅପରାଜିତା ଷଡଙ୍ଗୀ ; ସ୍ବେଚ୍ଛାକୃତ ଅବସରକୁ ରାଜ୍ୟ ସରକାରଙ୍କ ଅନୁମୋଦନ

Published By : Prameya-News7 Bureau | November 15, 2018 IST

ଭୁବନେଶ୍ବର ୧୫|୧୧:  ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ରାଜନୀତିକୁ ଆସିବା ନେଇ ଜୋର ଧରିଛି ଚର୍ଚ୍ଚା । ଭୁବନେଶ୍ବର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଗୁଞ୍ଜରଣ ସୃଷ୍ଟି ହୋଇଛି । ରାଜଧାନୀର ସୌନ୍ଦର୍ଯ୍ୟକରଣ କରିବା, ଶିକ୍ଷୟିତ୍ରୀମାନଙ୍କ ପାଇଁ ଡ୍ରେସକୋଡ ସହ ଯେଉଣ ବିଭାଗକୁ ସିଏ ଯାଇଛନ୍ତି ସେଠାରେ ସାଧାରଣ ଲୋକଙ୍କ ଆଶା ମୁତାବକ ନିଷ୍ପତ୍ତି ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଅପରାଜିତା । ତେବେ ଚାକିରୀରୁ ଅବସର ନେବା ପରେ ରାଜନୀତି କରିବେ କି ଅନ୍ୟତ୍ର କେଉଁଆଡେ ଯିବେ ତାହା ସେ ସ୍ପଷ୍ଟ କରିନାହାନ୍ତି । ୧୯୯୪ ବ୍ୟାଚ୍ ର ଆଇଏଏସ ଅଧିକାରୀଙ୍କ ସ୍ବେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହାସହ ଅପରାଜିତାଙ୍କ ଆବେଦନପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି । ଗତକାଲି ଏନେଇ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ରବୀନ୍ଦ୍ର ନାଥ ସାହୁ କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର ଉପସଚିବଙ୍କୁ ଜଣାଇଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ୧୫ରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଆବେଦନ କରିଥିଲେ । ଶ୍ରୀମତି ଷଡଙ୍ଗୀ ଏନେଇ ୩ମାସିଆ ନୋଟିସ୍ ଦେବା ସହ ଡିସେମ୍ବର ୧୪, ୨୦୧୮ ତାଙ୍କର ଶେଷ କାର୍ଯ୍ୟ ଦିବସ ହେବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଏପଟେ ଅପରଜିତା ସ୍ବେଚ୍ଛାକୃତ ଅବସର ନେଉଥିବା ଜଣାପଡିବା ପରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ବରରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିଜେପି ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ୨୦୧୯ରେ ସେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.