ସରକାରଙ୍କ ଘୋଷଣା : ରାଜ୍ୟରେ ବନ୍ଦ ହେବ ୯୬୬ଟି ସ୍କୁଲ

Published By : Prameya-News7 Bureau | June 22, 2019 IST

ଭୁବନେଶ୍ବର ୨୨|୬: ରାଜ୍ୟରେ ୯୬୬ଟି ମାଧ୍ୟମିକ ସ୍କୁଲକୁ ବନ୍ଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ୧୦ଜଣ ଛାତ୍ରଛାତ୍ରୀରୁ କମ୍ ଥିବା ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷଠାରୁ ନୂଆ ନିୟମ ପ୍ରଣୟନ କରିଛନ୍ତି । ବନ୍ଦ ହେଉଥିବା ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ନିକଟସ୍ଥ ଅନ୍ୟ ସ୍କୁଲରେ ପାଠ ପଢିବେ । ଅନ୍ୟ ସ୍କୁଲର ଦୂରତା ନିଜ ଘରଠାରୁ ଗୋଟିଏ କିଲୋମିଟରରୁ ଅଧିକ ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ସରକାର ବାଟ ଖର୍ଚ୍ଚ ଯୋଗାଇଦେବେ ।

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଥିବା ସ୍କୁଲ ଗୁଡିକ ମଧ୍ୟରୁ ୯୬୬ଟି ସ୍କୁଲରେ ୧୦ଜଣରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ପରେ ପାସ୍ ହାର, ବିଭିନ୍ନ ସ୍କୁଲରେ ଶୂନ ରେଜଲ୍ଟ କରିଥିବା ସ୍କୁଲ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗଣ ଶିକ୍ଷା କ୍ଷେତ୍ରରେ କେତକ ନିୟମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ରାଜ୍ୟର ୯୬୬ଟି ସ୍କୁଲର ମୁଣ୍ଡରେ ଚଡକ ପଡିଛି ।

ଅନ୍ୟପଟେ ସ୍କୁଲରେ ପିଲାଙ୍କ ଉପସ୍ଥାନ ବଢାଇବା ପାଇଁ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଯେଉଁ ପିଲାର ସ୍କୁଲରେ ଉପସ୍ଥାନ ବେଶୀ ଥିବ ସେହି ପିଲାମାନଙ୍କୁ ସେହିଭଳି ଟଙ୍କା ମିଳିବ । ୩୦ରୁ ୫୦ ପ୍ରତିଶତ ଉପସ୍ଥାନ ରହିଲେ ମାସକୁ ୩ଶହ ଏବଂ ବର୍ଷକୁ ୩ ହଜାର ଟଙ୍କା ମିଳିବ । ୫୦ରୁ ୭୫ ପ୍ରତିଶତ ଉପସ୍ଥାନ ରହିଲେ ମାସକୁ ୪ଶହ ଏବଂ ବର୍ଷକୁ ୪ହଜାର ଟଙ୍କା ମିଳିବ । ସେହିଭଳି ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ରହିଲେ ମାସକୁ ୬ଶହ ଏବଂ ବର୍ଷକୁ ୬ହଜାର ଟଙ୍କା ମିଳିବ । ଦୁଇ ମାସ ଛୁଟି କାଳରେ କୌଣସି ସହାୟତା ମିଳିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.