ବାତ୍ୟା ମୁକାବିଲାରେ ଓଡିଶା ମଡେଲକୁ ପୁଣିଥରେ ଜବରଦସ୍ତ ସଫଳତା, ଜାତୀୟ ଗଣମାଧ୍ୟମରେ ନବୀନ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପଦ୍ଧତିକୁ ପ୍ରଶଂସା

Published By : Prameya-News7 Bureau | May 27, 2021 IST

ଭୁବନେଶ୍ୱର,୨୭|୦୫ : ବାତ୍ୟା ମୁକାବିଲାରେ ଓଡିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ । କିପରି ବାତ୍ୟା, ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟବାସୀ ସୁରକ୍ଷିତ ରହିବେ, କେହି ମୃତାହତ ହେବେ ନାହିଁ ସେନେଇ ରାଜ୍ୟ ସରକାର ସର୍ବଦା ତତ୍ପର। ଯାହା ଲଗାତର ଭାବେ ଗତ କିଛି ବର୍ଷ ହେବ ଦେଖିବାକୁ ମିଳୁଛି । ସେ ଫନି ହେଉ ବା ଅମ୍ଫାନ  ଓ ତିତଲି । ସବୁ ବାତ୍ୟା ମୁକାବିଲାରେ ରାଜ୍ୟ ସରକାର ଅଗ୍ରଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବରୁ ମାଇକ୍ରୋ ମ୍ୟାନେଜମେଣ୍ଟ ସହ ଜିରୋ କାଜୁଆଲଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି । ଯାହା ଫଳରେ ଦେଶ ତଥା ବିଦେଶରୁ ମଧ୍ୟ ଓଡିଶା ସରକାର ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମକେ ମଧ୍ୟ ଓଡିଶା ମଡେଲକୁ ପ୍ରଶଂସା କରାଯାଇଛି ।

୧୯୯୯ରେ ଆସିଥିଲା ମହାବାତ୍ୟା । ଏଥିରେ ପ୍ରାୟ  ୧୦୦୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିଲେ । ଖିନଭିନ୍ ହୋଇଯାଇଥିଲା ଓଡିଶା । କାରଣ ଲୋକ ସଠିକ୍ ଭାବେ ସଚେତନ ହୋଇପାରି ନଥିଲେ । ବାତ୍ୟା ନେଇ ଖବର ଲୋକଙ୍କ ପାଖରେ ପହଁଚି ପାରିନଥିଲା । କିନ୍ତୁ ଏହାପରେ ଓଡିଶାରେ ଶାସନ ବଦଳିଥିଲା । ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜ୍ୟରେ ଆରମ୍ଭ ହୋଇଥିଲା ବିଜୁ ଜନତା ଦଳର ଶାସନ ।  ଏହାପରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ମଡେଲ । ବାତ୍ୟା ହେଉ ବା ମହାବାତ୍ୟା କିପରି ଜଣେ ହେଲେ ମୃତ୍ୟୁବରଣ କରିବେ ନାହିଁ ସରକାରୀ ଅଧିକାରୀଙ୍କୁ ଦିଆଗଲା ନିର୍ଦ୍ଦେଶ ।ଓଡିଶା ଏହି ଲକ୍ଷ୍ୟକୁ ପୂରଣ କରିବାରେ ମଧ୍ୟ ଅନେକାଂଶରେ ସଫଳ ହୋଇଛି । ଗତ ୨୧ ବର୍ଷ ଧରି ଜିରୋ କାଜୁଆଲଟି ଫର୍ମୁଲାରେ ଓଡିଶା ବାତ୍ୟା ମୁକାବିଲା କରୁଛି । ବାତ୍ୟା ପୂର୍ବରୁ ସରକାର ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି। ସେଠାରେ ଆବଶ୍ୟକୀୟ ରନ୍ଧାଖାଦ୍ୟ ଆଶ୍ରୟଙ୍କୁ ଯୋଗାଇ ଦିଆଯାଇପାରୁଛି । ଏପରି ଭାବେ ରାଜ୍ୟରେ ପ୍ରାୟ ୩୦୦୦ ଆଶ୍ରୟ ସ୍ଥଳୀ ରହିଛି । ଗୋଟିଏ ଆଶ୍ରୟ ସ୍ଥଳୀରେ ପ୍ରାୟ ୧ ହଜାର ଲୋକଙ୍କ ରହିବା ବ୍ୟବସ୍ଥା ରହିଛି । ରାଜ୍ୟରେ ବିଜୁ ପକ୍କା ଘର ଯୋଜନା ଓ ପିଏମ ଆବାସ ଯୋଜନାରେ ପକ୍କା ଘର ଅଧିକରୁ ଅଧିକ ତିଆରି କରାଯାଇଛି । ଯେପରି କୌଣସି ବିପର୍ଯ୍ୟୟ ସମୟରେ ଲୋକେ ହଇରାଣ ହରକଣ ନହେବେ । ସମୁଦ୍ର କୂଳରେ ଓ୍ୱାଚ୍ ଟାଓ୍ୱାର ରହିଛି । ଏହାଦ୍ୱାରା ଲୋକଙ୍କୁ ସାଇରନ୍ ଲଗାଇ ସଚେତନ ଓ ସତର୍କ କରାଯାଉଛି ।  ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହାର ଟିକନିକ୍ ନିରୀକ୍ଷଣ କରିଥାନ୍ତି । ଲୋକଙ୍କୁ ବାତ୍ୟା ପୂର୍ବରୁ ସଚେତନ କରାଯାଇଥାଏ । ପାଣିପାଗ ବିଭାଗର ସୂଚନା ମିଳିବା ପରେ ହିଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ବ୍ଲକରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ବିପର୍ଯ୍ୟୟ ପରିଚାଳନାକୁ ଜୋରଦାର କରାଯାଏ ।

ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସରକାର ସଜାଗ ରହିଥାନ୍ତି । ବିଜୁଳି ବିଭ୍ରାଟ, ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ପରେ ଏସବୁର ମରାମତି କାର୍ଯ୍ୟ ଦ୍ରୁତ ଗତିରେ ହୋଇଥାଏ । ବିଦ୍ୟୁତ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଥାନରେ ମୁତୟନ ଥିବା ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ଉପୁଡି ପଡିଥିବା ଗଛକୁ କାଟିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାନ୍ତି ।

ବାତ୍ୟା ୟସ୍ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହ ୨୪ ଘଣ୍ଟାରେ ପ୍ରଭାବିତ ହୋଇଥିବା ରାସ୍ତାର ମରାମତି  ସହ ବିଜୁଳି ସଂଯୋଗ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.