କୋଭିଡ୍-୧୯ର ସଠିକ ତଥ୍ୟ ଦେଉଛି ଓଡିଶା: ଉପଯୁକ୍ତ ତଥ୍ୟରେ ନମ୍ବର ୩, ଷ୍ଟାନଫୋର୍ଡ ୟୁନିଭର୍ସିଟି କଲା ପ୍ରଶଂସା

Published By : Prameya-News7 Bureau | July 26, 2020 IST

ଭୁବନେଶ୍ୱର, ୨୬।୦୭: କର୍ଣ୍ଣାଟକ, କେରଳ ଏବଂ ଓଡିଶା COVID-19ର ସଠିକ୍ ଡାଟା ରିପୋର୍ଟରେ ଦେଶରେ ପ୍ରଥମ ୩ ରାଜ୍ୟ ଭାବେ ସ୍ଥାନ ପାଇଛନ୍ତି। ଷ୍ଟାନଫୋର୍ଡ ୟୁନିଭରସିଟି ଆଣ୍ଡ ଟେକ୍ ଇଣ୍ଡଷ୍ଟ୍ରି (ଯୁକ୍ତରାଷ୍ଟ୍ର), ଏରୋସୋଲ ଇଣ୍ଡଷ୍ଟ୍ରି (ସ୍ୱିଜରଲ୍ୟାଣ୍ଡ)ର କରୋନା ଡାଟା ରିପୋର୍ଟିଂ ସ୍କୋର ବା ସିଡିଆରଏସର  ଏକ ଅଧ୍ୟୟନରୁ ଏହା ଜଣାପଡିଛି ।

ଶ୍ରେଷ୍ଠ ତିନୋଟି ରାଜ୍ୟ ପାଇଁ କର୍ଣ୍ଣାଟକ (୦.୬୧) ସ୍କୋର ପାଇଥିବା ବେଳେ, କେରଳ (୦.୫୨) ଏବଂ ଓଡିଶା (୦.୫୧) ସ୍କୋର ପାଇଛି । ଏହି କିନୋଟି ରାଜ୍ୟ କରୋନା ବାବଦରେ ସଠିକ ଡାଟା ଓ ଅନେକ ତଥ୍ୟ ଉପଲବ୍ଧ କରିପାରିଛନ୍ତି ।

ଓଡିଶା ସରକାର ଆକ୍ରାନ୍ତଙ୍କ ପ୍ରାଇଭେସୀକୁ ନଜରରେ ରଖିବା ସହ ଅଧିକରୁ ଅଧିକ ଡାଟା ପ୍ରଦାନ କରୁଛନ୍ତି । ଏହି ଆଧାରରେ ଓଡିଶା ଅଧିକ ସ୍କୋର କରିଛି । ଅଧିକ ତଥ୍ୟ ଉପଲବ୍ଧ ହେତୁ ନାଗରିକମାନେ ଆବଶ୍ୟକୀୟ ସୂଚନା ପାଇପାରୁଛନ୍ତି । ଯାହା ସେମାନଙ୍କୁ ସତର୍କ କରିବା ସହ ସଚେତନ ରହିବାରେ ମଧ୍ୟ ସାହାଯ୍ୟ କରୁଛି । ବିଭିନ୍ନ ସଙ୍ଗଠନ ମଧ୍ୟ ଏ ଦିଗରେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ଯାହା ଜିଲ୍ଲା ଓ ବ୍ଲକ ସ୍ତରରେ ସଂକ୍ରମଣ ରୋକିବାରେ ଫଳପ୍ରଦ ହୋଇଛି ।

ରାଜ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନକୁ ପାଳନ କରାଯାଉଛି । ଏପରିକି ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଜନତାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ଦିଗରେ ଏସବୁ ପଦକ୍ଷେପ ସଫଳ ହୋଇଛି । ରାଜ୍ୟ କରୋନା ମୁକାବିଲାକୁ ଜୋରଦାର କରିଛି । ରାଜ୍ୟ ତରଫରୁ ସ୍ୱାସ୍ଥ୍ୟସେବା ବୃଦ୍ଧି, ସାମାଜିକ ସୁରକ୍ଷା, ଆର୍ଥିକ ସହାୟତା, ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସୁରକ୍ଷା ଆଦି ପ୍ରସଙ୍ଗରେ ସଠିକ୍ ତଥ୍ୟ ପ୍ରଦାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.