ଓଡିଶାକୁ ‘ଫୋନି’ ସହାୟତା : ୩୩୩୮ କୋଟିର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର

Published By : Prameya-News7 Bureau | August 20, 2019 IST

ଭୁବନେଶ୍ବର ୨୦|୮:  ଓଡିଶାକୁ ମିଳିବ ଫୋନି ସହାୟତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ସହାୟତା ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି । ଓଡିଶା ସହ କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶ ପାଇଁ ସହାୟତା ଘୋଷଣା କରାଯାଇଛି । ୪୪୩୨.୧୦ କୋଟିର ଅତିରିକ୍ତ ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି । ଜାୟୀୟ ବିପର୍ଜ୍ୟୟ ପାଣ୍ଠିରୁ ଏହି ସହାୟତା ଘୋଷଣା କରାଯାଇଛି ।

ଓଡିଶା ପାଇଁ ୩୩୩୮.୨୨କୋଟି ସହାୟତା ରାଶି ପ୍ରଦାନ କରାଯିବ । ଫୋନି ପରବର୍ତ୍ତୀ ଥଇଥାନ ପାଇଁ ଏହି ସହାୟତା ଘୋଷଣା କରିଛନ୍ତି ସରକାର । ପୂର୍ବରୁ ଅଗ୍ରୀମ ୩୪୦.୮୭ କୋଟି ସହାୟତା ପ୍ରଦାନ କରିଥିଲା କେନ୍ଦ୍ର । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହଜାର କୋଟିର ସହାୟତା ଘୋଷଣା କରିଥିଲେ । ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଓଡିଶା ପକ୍ଷରୁ କେନ୍ଦ୍ର ନିକଟରେ ୫୨୨୭.୬୮ କୋଟିର ସହାୟତା ରାଶି ଦାବି କରାଯାଇଥିଲା ।

ଓଡିଶା ବ୍ୟତୀତ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି । ମରୁଡି କ୍ଷତିଗ୍ରସ୍ତ କର୍ଣ୍ଣାଟକ ପାଇଁ ୧୦୨୯.୩୯ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଭୂସ୍ଖଳନ ଦ୍ବାରା ପ୍ରଭାବିତ ହିମାଚଳକୁ ମିଳିବ ୬୪.୪୯ କୋଟିର ସହାୟତା । ଭୟଙ୍କର ବାତ୍ୟା ଫୋନି ଓଡିଶାର ୧୪ଟି ଜିଲ୍ଲାରେ ତାଣ୍ଡବ ରଚିଥିଲା । ସମସ୍ତ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ୨୯୩୧୫ କୋଟି ଟଙ୍କା ଦରକାର ଥିବା ଅନୁମାନ କରାଯାଇଥିଲା । ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରର ପ୍ରତିନିଧି ଦଳ ଆସି କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.