ଦେଶରେ ସବୁଠୁ ଗରୀବ ଓଡିଶାର ଚାଷୀ: ଏନ୍‌ଏସ୍‌ଏସ୍

Published By : Prameya-News7 Bureau | August 06, 2018 IST

ଭୁବନେଶ୍ବର୬|୮: ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଇଛନ୍ତି, ରାଜ୍ୟର ଚାଷୀଙ୍କ ଆୟ ଦୁଇଗୁଣା ହେବାକୁ ଯାଉଛି। ରାଜ୍ୟରେ କୃଷି ଉତ୍ପାଦନ ମଧ୍ୟ ଢେର ବଢ଼ିଛି। ଏସବୁ ସରକାରୀ ତଥ୍ୟ ଆପଣ ବାରମ୍ବାର ଶୁଣୁଥିବେ। ତେବେ ରାଜ୍ୟର କୃଷକଙ୍କ ସ୍ଥିତି ଜାତୀୟ କୃଷକଙ୍କ ତୁଳନାରେ କଣ ତାର ଏକ ଚିତ୍ର ଏବେ ପ୍ରକାଶ ପାଇଛି ଜାତୀୟ ନମୂନା ସର୍ଭେ ବା ନ୍ୟାସନାଲ ସାମ୍ପଲ ସର୍ଭେରେ। ଜାତୀୟ ହାର ଅପେକ୍ଷା ଆମ ରାଜ୍ୟର ଚାଷୀଙ୍କ ଆୟ ଅଧାରୁ କମ୍‌। ଏପରିକି ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ପରେ ଓଡ଼ିଶାର ସ୍ଥାନ ରହିଛି। ….. ଚାଷୀଙ୍କ ଭିତରେ ଓଡିଶା ଚାଷୀ ସବୁଠୁ ଗରିବ । ଝାଡଖଣ୍ଡକୁ ଛାଡିଦେଲେ ଓଡିଶା ଚାଷୀଙ୍କ ଆୟ ସର୍ବନିମ୍ନ । ଦେଶର ଜଣେ ଚାଷୀ ମାସକୁ ୫୫୪୨ ଟଙ୍କା ରୋଜଗାର କରୁଛି। ଆଉ ଓଡିଶା ଚାଷୀଙ୍କ କୃଷିରୁ ଆୟ ୨୧୨୦ ଟଙ୍କା । ଜାତୀୟ ନମୂନା ସର୍ଭେ ବା ନ୍ୟାସନାଲ ସାମ୍ପଲ ସର୍ଭେ –ଏନଏସଏସ ରିପୋର୍ଟ ଏହି ତଥ୍ୟ ସାମ୍ନାକୁ ଆଣିଛି । ଏବେ ନଜର ପକାଇବା ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଚାଷୀ କେମିତି ଅଛନ୍ତି। ଛତିଶଗଡ ଚାଷୀଙ୍କ ଆୟ ୪୫୫୧, ଆନ୍ଧ୍ର ଚାଷୀଙ୍କ ଆୟ ୮୪୮୨, ତେଲେଙ୍ଗାନା ଚାଷୀଙ୍କ ଆୟ ୮୬୬୬ ଟଙ୍କା । ଯଦିବା ଏହି ସର୍ଭେ ୨୦୧୩ ମସିହାରେ କରାଯାଇଥିଲା କିନ୍ତୁ ତଥ୍ୟ ଏବେ ସାର୍ବଜନୀନ ହୋଇଛି । କୃଷି କର୍ମଣ ରାଜ୍ୟରେ ଚାଷୀଙ୍କ ଆୟର ଗଣିତ ଦେଖି ବିରୋଧି ଘେରିଛନ୍ତି ରାଜ୍ୟ ସରକାରଙ୍କୁ । କହିଛନ୍ତି ଖାଲି କାଗଜ କଲମରେ ଚାଷୀଙ୍କ ଆୟ ୨ ଗୁଣ ବଢିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ପୁରସ୍କାର ସାଉଣ୍ଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ହେଲା, ଚାଷୀ ଆତ୍ମହତ୍ୟା ବଢୁଛି, ସେମାନଙ୍କ ପରିବାର ଦୁର୍ଦଶାରେ ଦିନ କାଟୁଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣା କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ସେତେବେଳେ କୃଷିମନ୍ତ୍ରୀ ଥିବା ଦାମୋଦର ରାଉତ ବିଧାନସଭାରେ ତଥ୍ୟ ରଖିଥିଲେ । ଏନଏସଏସ ତଥ୍ୟ ଅନୁଯାୟୀ ଓଡିଶାରେ ପାଖାପାଖି ୭୨ ଲକ୍ଷ ପରିବାର ବସବାସ କରୁଛନ୍ତି । ସେଥିରୁ ୬୦ .୫୪ ପ୍ରତିଶତ କୃଷି ପରିବାର ଅଛନ୍ତି । ଯେହେତୁ ରାଜ୍ୟର ଏକ ବଡଭାଗ ଚାଷୀ ପରିବାର ତେଣୁ ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ପୂରା ରାଜ୍ୟର ଆର୍ଥିକ ସ୍ଥିତି ନିର୍ଭର କରୁଛି। କୃଷିମନ୍ତ୍ରୀ କହିଛନ୍ତି, ସର୍ଭେ କଣ କହୁଛି ତାହା ଜଣାନାହିଁ , କିନ୍ତୁ ରାଜ୍ୟ ସରକାର ଚାଷୀଙ୍କ ଆୟ ୨ ଗୁଣ କରିବାକୁ ପଦକ୍ଷେପ ନେଇ ସାରିଲେଣି । କେବଳ ସେତିକି ନୁହେଁ , ପ୍ରତ୍ୟେକ ଚାଷୀଙ୍କ ହାରାହାରି ମୁଣ୍ଡ ପିଛା ଋଣ ବି ୧୯ ହଜାର ଟଙ୍କା ଟପିଲାଣି । ତେଣୁ ଓଡିଶା ଚାଷୀଙ୍କ ବାସ୍ତବ ଅବସ୍ଥା କଣ ଲୋକେ ଅନୁମାନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.