ତୁଟିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ବିବାଦ: ଚାଷୀ ପାଇବେ ବୀମାରାଶି!

Published By : Prameya-News7 Bureau | September 08, 2018 IST

ଭୁବନେଶ୍ବର ୮|୯: ପ୍ରଧାନମନ୍ତ୍ରୀ ଫସଲ ବୀମା ବିବାଦ ପାଇଁ ବସିଲା ବୈଠକ । ଫିଟିପାରେ ସମାଧାନ ବାଟ । ୬୪ କୋଟି ଟଙ୍କାକୁ ନେଇ ଚାଷୀ ଓ ବୀମା କମ୍ପାନି ଭିତରେ ବିବାଦ ଚାଲିଥିବା ବେଳେ ରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ବିଧାନସଭାରେ ବି ହୁଲସ୍ତୁଲ ହୋଇଥିଲା । ଶେଷରେ କେନ୍ଦ୍ର, ରାଜ୍ୟ ବୀମା କମ୍ପାନୀ ଏବଂ ଚାଷୀ ମଧ୍ୟରେ ବସିଲା ବୈଠକ। ଇଣ୍ଟରନେଟରୁ ତଥ୍ୟ ନନେଇ ରାଜସ୍ବ ନିରୀକ୍ଷକଙ୍କ ତଥ୍ୟ ଅନୁସାରେ ବୀମାରାଶି ଦେବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାର, କେନ୍ଦ୍ର ସରକାର, ବୀମା କମ୍ପାନୀ ଓ ଚାଷୀ ସମସ୍ତେ ମିଶି ଭୁବନେଶ୍ବରରେ କରିଛନ୍ତି ଆଲୋଚନା । ଚାଷୀମାନେ ଯେତିକି ଜମି ବୀମାଭୁକ୍ତ କରିଛନ୍ତି ତାଠାରୁ କମ ଜମିରେ ଚାଷ ହୋଇଥିବା ଦର୍ଶାଇ ବୀମା ରାଶି ଦେଉନି କମ୍ପାନି । ଯାହାକୁ ନେଇ ସବୁଆଡ଼େ ଆନ୍ଦୋଳନ ତେଜୁଛି । ଚାଷୀ କିନ୍ତୁ କହୁଛନ୍ତି, ଯେତିକି ଜମି ବୀମା କରିଛନ୍ତି, ସେତିକି ଜମିରେ ଚାଷ କରିଛନ୍ତି । ବୀମା କମ୍ପାନି ଜାଣିଶୁଣି ଟାଳଟୁଳ ନୀତି ଅବଲମ୍ବନ କରୁଛି । ୬୪ କୋଟି ବୀମା ରାଶିକୁ ନେଇ ଏହି ବିବାଦ । ଗତବର୍ଷ ଜୁଲାଇ ୩୧ ସୁଦ୍ଧା ରାଜ୍ୟର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପ୍ରିମିୟମ ଭରିଥିଲେ । ମାର୍ଚ୍ଚ ୩୧ ସୁଦ୍ଧା ଫସଲ କଟା ଠାରୁ ଆରମ୍ଭ କରି ସମସ୍ତ ଫିଲ୍ଡ ଭିଜିଟ୍ ସାରି ଏପ୍ରିଲ ପହିଲାରୁ ଚାଷୀଙ୍କୁ ବୀମା ଟଙ୍କା ଦେବା କଥା । କିନ୍ତୁ ତାହା ଏଯାଏଁ ହୋଇନି । ମାମଲା କେବଳ ଚାଷୀ ଓ ବୀମା କମ୍ପାନି ମଧ୍ୟରେ ସୀମିତ ନାହିଁ, କେନ୍ଦ୍ର ଓ ରାଜ୍ୟ ଭିତରେ ବି ଟଣା ଓଟରା ଚାଲିଛି । ତେବେ ବୈଠକ ପରେ ସମାଧାନ ରାସ୍ତା ବାହାରିବ ବୋଲି ସମସ୍ତେ ଆଶାବାଦୀ । ପ୍ରଧାନମନ୍ତ୍ରୀ କୃଷି ବୀମା ବାବଦରେ ଚଳିତବର୍ଷ ବୀମା କମ୍ପାନିଗୁଡ଼ିକ ଚାଷୀମାନଙ୍କୁ ୬୯୯ କୋଟି ଟଙ୍କା ଦେବାର ବ୍ୟବସ୍ଥା ଥିଲା । ହେଲେ ୬୩୫ କୋଟି ଦେଇ ବାକି ଟଙ୍କା ନଦେବାକୁ ଅଡ଼ି ବସିଛନ୍ତି କମ୍ପାନି । ତେବେ ବୈଠକରେ ଆଲୋଚନା ପରେ ଚାଷୀମାନେ ସେମାନଙ୍କ ବୀମା ଅର୍ଥ ପାଇବେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.