ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ଭିସି ଜରିଆରେ ହାଇକୋର୍ଟରେ ହାଜର ହେଲେ ଡିଜିପି, ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | November 18, 2020 IST

କଟକ ୧୮।୧୧: ହାଇକୋର୍ଟରେ ହାଜର ହେଲେ ପୋଲିସ ଡିଜି ଅଭୟ । ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କେତେଦୂର ଆଗେଇଛି ସେ ସଂକ୍ରାନ୍ତୀୟ ଷ୍ଟାଟସ ରିପୋର୍ଟ ଦାଖଲ କରିବା ସହ ବୁଧବାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଡିଜିପି ହାଜର ହୋଇଥିଲେ । ତେବେ ମାମଲାର ତଦନ୍ତ ଶେଷ କରିବା ଲାଗି ଆଉ କିଛି ଦିନର ମହଲତ ଲୋଡିଛନ୍ତି ଡିଜିପି । ଯାହାକୁ ନେଇ ପୁନର୍ବାର କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ମାସ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କେତେ ଜଣ ପୋଲିସ କର୍ମୀଙ୍କ ସହ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର କର୍ମଚାରୀମାନେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ତେବେ ସିବିଆଇ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ଏସଆଇଟି ଏହି ମାମଲାର ତଦନ୍ତ କରୁ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ୨ଟି ପୃଥକ ପୃଥକ ମାମଲା ଦାଏର ହୋଇଛି । ପ୍ରଥମେ ମାମଲା ସମ୍ପର୍କୀତ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରି ଏସପି ରାଙ୍କର ଜଣେ ଅଧିକାରୀଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ତଦନ୍ତ ଶେଷ ହୋଇନଥିବା ବେଳେ କୌଣସି ଅଭିଯୁକ୍ତ ଗିରଫ ନହେବା ଭଳି ଘଟଣାକୁ ନେଇ ହାଇକୋର୍ଟ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଥିଲେ । ଯଦିଓ ମାମଲାର ତଦନ୍ତ କ୍ରାଇବ୍ରାଞ୍ଚ କରୁଛି, କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଗତ ୯ ତାରିଖରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ।   ଏ ସଂକ୍ରାନ୍ତରେ କୈଫିୟତ ରଖିବା ଲାଗି ଡିଜିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.