ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା

Published By : Prameya-News7 Bureau | November 27, 2021 IST

ଭୁବନେଶ୍ୱର,୨୭|୧୧:   ଡିସେମ୍ବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ୩ରୁ ୫ ତାରିଖ ଭିତରେ ମାଡ଼ ହୋଇପାରେ ଉପକୂଳରେ। ଅଧିକ ସମ୍ଭାବନା ରହିଛି, ଏହା ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳ ଛୁଇଁବ । ବିଭିନ୍ନ ପାଣିପାଗ ମଡେଲ ଏଭଳି ପ୍ରାକ୍‌ ସଙ୍କେତ ଦେଖାଇଛନ୍ତି। ଦିନେ ଦୁଇଦିନ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ଯଦି ବି ବାତ୍ୟା ନ ହୁଏ, ତଥାପି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ୩ରୁ ୬ ତାରିଖ ପର୍ଯ୍ୟନ୍ତ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଅନୁଯାୟୀ ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ ସହ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇପାରେ । ଆଇଏମ୍‌ଡିର ପରିବର୍ଦ୍ଧିତ (ଏକ୍ସଟେଣ୍ଡେଡ୍‌) ପୂର୍ବାନୁମାନ କହୁଛି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଆଇଏମ୍‌ଡିର ଜିଏଫଏସ୍‌ ସହ କେତେକ ମଡେଲ ଦର୍ଶାଉଛି, ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ମାତ୍ର ଆଇଏମଡି ପକ୍ଷରୁ ବିଧିବଦ୍ଧ ଭାବେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ।

କେତେକ ବିଦେଶୀ ପାଣିପାଗ ପୂର୍ବାନୁମାନ ସଂସ୍ଥା ବାତ୍ୟା ହୋଇପାରେ ବୋଲି ଆକଳନ କରୁଛନ୍ତି । ଆକ୍ୟୁୱେଦରର ପ୍ରମୁଖ ଆନ୍ତର୍ଜାତିକ ପାଣିପାଗ ବୈଜ୍ଞାନିକ ଜାସନ ନିକୋଲ୍ସ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେଇପାରେ । ଏହା ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳକୁ ମୁହାଁଇପାରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଭୀଷଣ ଅବପାତ ରୂପ ନେଇପାରେ । ବାତ୍ୟା ହେବା ନେଇ ଏବେ କିଛି ସଙ୍କେତ ପରିଲକ୍ଷିତ ହୋଇନାହିଁ । ଏହା ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବ । ୩ ତାରିଖ ରାତିରୁ ୪ ତାରିଖ ସକାଳ ଭିତରେ ଏହା ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବେଶ କରିବା ସମ୍ଭାବନା ଅଧିକ ।

ଅନୁମାନ କରାଯାଉଛି, ଏହା ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଗତି କରିବ । ଏହା ପ୍ରଭାବରେ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା କରାଇବ । ୩ରୁ ୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩ରୁ ରାଜ୍ୟରେ ପାଗ ବଦଳିବ ।

ବର୍ତ୍ତମାନ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ୨୯ରୁ ପୁଣି କ୍ରମଶଃ ରାତି ତାପମାତ୍ରା ବଢ଼ିବ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସକାଳବେଳା ଘନ କୁହୁଡ଼ି ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.