ରାଜ୍ୟର ପ୍ରଥମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ୫୩ଜଣ ଓଡିଆ, ସରକାରୀ ପୋର୍ଟାଲରେ ତଥ୍ୟ ରଖିବେ ବିଦେଶ ଫେରନ୍ତା
16/03/2020 at 5:03 PM

ଭୁବନେଶ୍ୱର, ୧୬|୦୩: ରବିବାର ରାତିରେ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ସଂକ୍ରମିତଜଣଙ୍କ ମାର୍ଚ୍ଚ ୬ରେ ଇଟାଲିରୁ ଭାରତ ଫେରିଥିଲେ। ଏହାପରେ ସେ ଓଡିଶା ଆସିଥିଲେ।
ତେବେ ସେ ଓଡିଶା ଆସିବା ମଧ୍ୟରେ ପ୍ରାୟ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏନେଇ ଆଇଇସିର ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆକ୍ରାନ୍ତଜଣଙ୍କ ଦିଲ୍ଲୀରୁ ଓଡିଶା ଆସିବା ବେଳେ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଟ୍ରେନରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଲେ ଓଡିଶାରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି।

ସରକାର କରୋନା ଭାଇରସ ପାଇଁ ଏକ ପୋର୍ଟାଲର ବ୍ୟବସ୍ଥା କରୁଛନ୍ତି। ବିଦେଶରୁ ଆସୁଥିବା ବ୍ୟକ୍ତି ଓ ଛାତ୍ରମାନେ ଏହି ପୋର୍ଟାଲରେ ସୂଚନା ଦେବା ବାଧ୍ୟତାମୂଳକ। ଏହାସସହ ଟୋଲଫ୍ରି ନମ୍ବର ୧୦୪କୁ କଲ କରି ସେମାନେ ଏନେଇ ଜଣାଇପାରିବେ। ଏନେଇ ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ତଥ୍ୟ ରଖିବାକୁ କୁହାଯାଇଛି। ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି।

ଏତତ୍ ବ୍ୟତୀତ ଦିନ ୨ଟା ସୁଦ୍ଧା ୧୫୭ଟି ଦେଶକୁ କରୋନା କବଳିତ କରିଛି। ମୋଟ ୧ ଲକ୍ଷ ୭୦ ହଜାର ୧୮୭ଜଣ ଏଥିରେ ଆକ୍ରାନ୍ତ ରହିଛନ୍ତି। ଭାରତରେ ଏହି ସଂଖ୍ୟା ୧୧୫ ଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ଏହାସହ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।