୭୪ ବର୍ଷରେ ନବୀନ : ଏବେ ପୂରା ପୋଖତ, ୬ଷ୍ଠ ପାଳି ଲାଗି କ'ଣ ଚାଲିଛି ପ୍ରସ୍ତୁତି ଜାଣନ୍ତୁ...

Published By : Prameya-News7 Bureau | October 16, 2019 IST

ଭୁବନେଶ୍ବର (ସୁବ୍ରତ ଦାସ) ୧୬|୧୦: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୪ ବର୍ଷରେ ପଦାର୍ପଣ କଲେ । ତାଙ୍କର ବୟସ ଖାଲି ବର୍ଷେ ବଢିନାହିଁ, ସେ ମଧ୍ୟ ରାଜନୀତିରେ ଆହୁରି ପୋଖତ ହୋଇଛନ୍ତି । କ୍ରମାଗତଭାବେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ୬ଷ୍ଠ ଥର ନିମନ୍ତେ ଶାସନ ଗାଦିକୁ କେମିତି ଆସିବେ ସେଥିପାଇଁ ଖସଡା ପ୍ରସ୍ତୁତ କଲେଣି ।

{"id":170639}

୧୯୯୭ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅକାଳ ବିୟୋଗ ପରେ ଯେତେବେଳେ ଓଡିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା ତାକୁ ପୂରଣ କରିବା ପାଇଁ ତାଙ୍କର କନିଷ୍ଠ ପୁତ୍ର ନବୀନଙ୍କ ଉପରେ ଚାପ ପକାଗଲା । ଜୀବନ ସାରା ରାଜନୀତିରୁ ଦୂରରେ ଥିବା ନବୀନ  କୁଣ୍ଠାର ସହ ରାଜନୀତିରେ ଯୋଗ ଦେଇଥିଲେ । ଏବେ ସେ ରାଜନୀତିରେ ଜଣେ ପୋଖତ ଖେଳାଳି ।

{"id":170640}

ନିଜ ଦଳରେ ଥିବା ରାଜନୈତିକ ଶତୃମାନଙ୍କୁ ହଟାଇବାରେ ସଫଳ ହେବା ସଙ୍ଗେ ସଙ୍ଗେ ୨୦୧୨ ମସିହାରେ ସେ ଲଣ୍ଡନ ଯାଇଥିବାବେଳେ ତାଙ୍କ ଅନୁପସ୍ଥିତିତରେ ପ୍ୟାରୀ ମୋହନ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହ ଉଦ୍ୟମକୁ ସେ ପଣ୍ଡ  କରିଦେଇଥିଲେ । ସେ ମଧ୍ୟ ଗତ ଦୁଇ ଦୁଇଟି ନିର୍ବାଚନରେ ମୋଦି ହାୱାକୁ କାଟି ନିଜର ରାଜନୈତିକ ପତିଆରା ବଜାୟ ରଖିଛନ୍ତି ।

{"id":170641}

ଲଗାତର ୧୯ ବର୍ଷ ଧରି ଶାସନ ଗାଦିରେ ବସିଥିବା ନବୀନ ବର୍ତ୍ତମାନ ଦେଶର ତୃତୀୟ ସର୍ବାଧିକ କାଳ କ୍ଷମତାସୀନ ମୁଖ୍ୟମନ୍ତ୍ରୀ । ଗତ ୨୫ବର୍ଷ ଧରି ଶାସନ ଗାଦିରେ ବସିଥିବା ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ ଚାମଲିଂ ଏବଂ ୨୩ ବର୍ଷ ଧରି ପଶ୍ଚିମବଙ୍ଗକୁ ଶାସନ କରିଥିବା ଜ୍ୟେତି ବସୁଙ୍କ ପଛକୁ ନବୀନଙ୍କ ସ୍ଥାନ ରହିଛି ।

{"id":170642}

ଏବେ କ୍ରମାଗତ ୬ଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ କି ? ଏଥିପାଇଁ ସେ ଆଜିଠାରୁ ସେ କୌଶଳ ନିର୍ଦ୍ଧାରଣ କରି କାର୍ଯ୍ୟକ୍ରମ କରିବାରେ ଲାଗିଲେଣି । ଓଡିଶାବାସୀଙ୍କ ହୃଦୟ ଜୟ କରିବା ଲାଗି ଗତ ଗାନ୍ଧୀ ଜୟନ୍ତୀ ଦିନ ନବୀନ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜେ ସିଧାସଳଖ ଜନସାଧାରଣଙ୍କ ସହ ଫୋନଯୋଗେ କଥା ହୋଇ ଡାକ୍ତରଖାନା ଓ ଥାନାଗୁଡିକରେ ଲୋକେ ସନ୍ତୁଷ୍ଟ କି ନାହିଁ ବୁଝୁଛନ୍ତି । ସେ ଗତ ୧୪ତାରିଖ ସୁଦ୍ଧା ୧୨୦ଜଣଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

{"id":170646}

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚ୍ଚିବ ଭି କେ ପାଣ୍ଡିଆନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ପ୍ରତିକ୍ରିୟା ସଂଗ୍ରହ କରୁଛନ୍ତି । ଇତିମଧ୍ୟରେ ଏହି ଗସ୍ତବେଳେ ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

{"id":170647}

୫ଥର ପାଇଁ ଗାଦିରେ ବସିବାପରେ ଗତ ଜୁନ ୨୨ତାରିଖରେ ବରିଷ୍ଠ ଅଧିକାରୀଙ୍କୁ ଉଦବୋଧନ ଦେବା ଅବସରରେ ନବୀନ ସରକାରଙ୍କ ପକ୍ଷରୁ ଯୋଗା ଯାଉଥିବା ସବୁ ସେବାକୁ ଜନସାଧାରଣଙ୍କ ଦୃଷ୍ଟିକୋଣରୁ ଦୃଷ୍ଟି ଦେବାକୁ ଉପଦେଶ ଦେଇଥିଲେ । ‘ମୁଁ ଆପଣମାନଙ୍କ ଚରିତ୍ର ପଞ୍ଜିକା ଲେଖୁଛି ଆଉ ଆଉ ଲୋକମାନେ ମୋ ଚରିତ୍ର ପଞ୍ଜିକା ଲେଖୁଛନ୍ତି । ମୁଁ ଏ ଦୁଇଟି ମଧ୍ୟରେ ସମନ୍ବୟ ଚାହେଁ । ଆଣେ ଉଭୟଙ୍କୁ ଜନ ସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବାକୁ ହେବ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

{"id":170650}

ପରେ ପରେ ନବୀନ ତାଙ୍କ ପ୍ରଶାନର ୫ଟି ସୂତ୍ର ଘୋଷଣା କରିଥିଲେ । ଗୋଷ୍ଠୀଗତ କାର୍ଯ୍ୟ(ଟିମ ୱାର୍କ), ସ୍ବଚ୍ଛତା(ଟ୍ରାନ୍ସପରାନ୍ସି), ପ୍ରଯୁକ୍ତିବିଦ୍ୟ(ଟେକନୋଲୋଜି) ସାଙ୍ଗକୁ ସେ ଆଉ ଦୁଇଟି ଟି –ସମୟ(ଟାଇମ) ଏବଂ ଦୃତ ପରିବର୍ତ୍ତନ(ଟ୍ରାନ୍ସଫର୍ମେସନ) ।

{"id":170648}

ପୂର୍ବରୁ ଯେଉଁଦିନ ନବୀନ ୫ମ ଥର ଶପଥ ନେଲେ ସେହିଦିନ ପ୍ରଥମ ମନ୍ତ୍ରିମଣ୍ଡଳ ବୈଠକରେ ରାଜ୍ୟର ଦୁଇଟି ପ୍ରମୁଖ ଭୋଟ ବ୍ୟାଙ୍କ କୃଷକ ଓ ମହିଳାଙ୍କୁ ନିଜର କରିବା ଲାଗି ଦୁଇଟି ବଡ ନିଷ୍ପତ୍ତି ନେଲେ । କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୪୮ଲକ୍ଷରୁ ୭୫ଲକ୍ଷକୁ ବୃଦ୍ଧି କରିବା ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ୧୦୦୦କୋଟି ମୂଲ୍ୟର ସରକାରୀ କାର୍ଯ୍ୟ ଦେବାକୁ ନିଷ୍ପତ୍ତି ଘୋଷଣା କଲେ । ପ୍ରତି ମାସ ୭ତାରିଖ ସୁଦ୍ଧା ନିଜ ନିଜ ବିଭାଗ ନିର୍ବାଚନ ଇସ୍ତାହାର ପୂରଣ ଦିଗରେ କି ପଦକ୍ଷେପ ନେଇଛି ତାର ରିପୋର୍ଟ ଦେବାକୁ ସେ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ ।

{"id":170649}

ସେ ମଧ୍ୟ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତି ମାସରେ ସମୀକ୍ଷା କରୁଛନ୍ତି । ଏହିପରି ଭାବରେ ତାଙ୍କ ସରକାର କାର୍ଯ୍ୟରେ ବିଶ୍ବାସ କରେ ଏବଂ ଏହା ଦୁର୍ନୀତିକୁ ବରଦାସ୍ତ କରେ ନାହିଁ-ଏହିଭଳି ଧାରଣ ଜନସାଧାରଣଙ୍କ ମନରେ ସୃଷ୍ଟି କରିବା ପାଇଁ ନବୀନ ସରକାର ଉଦ୍ୟମ ଜାରୀ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.