ଜାତୀୟ ଗଣମାଧ୍ୟମରେ ନବୀନ ହିରୋ, ସବୁ ଖବରରେ ଲେଖା ‘ଅନ୍ୟରାଜ୍ୟମାନେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖନ୍ତୁ’
30/03/2020 at 7:49 PM

ଭୁବନେଶ୍ୱର ୩୦।୦୩: ଜାତୀୟ ଗଣମାଧ୍ୟମରେ ଏବେ ନବୀନଙ୍କ ଚର୍ଚ୍ଚା । କରୋନା ମୁକାବିଲାରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ନେଇ ଏବେ ଚାରିଆଡେ ପ୍ରଶଂସା । ରାଜସ୍ଥାନରୁ ପ୍ରକାଶ ପାଇଥିବା ଖବର କାଗଜ ଦୈନିକ ନବଜ୍ୟୋତି ଆଜମେର୍ ଏଡିସନ୍ର ପ୍ରଥମ ପୃଷ୍ଠାରେ ନବୀନଙ୍କ କରୋନା ମୁକାବିଲା ସଂପର୍କିତ ଏକ ତୁଳନାତ୍ମକ ଖବର ପ୍ରକାଶ ପାଇଛି । ଯେଉଁଥିରେ ଲେଖାଯାଇ ବିପର୍ଯ୍ୟୟ ପରିଚାଳନାରେ ଚାଣକ୍ୟ କୁହାଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଅନ୍ୟ ରାଜ୍ୟମାନେ ଶିକ୍ଷାଲାଭ କରନ୍ତୁ । ଓଡ଼ିଶା ସରକାର କରୋନା ମୁକାବିଲାରେ ବହୁ ଆଗୁଆ ପଦକ୍ଷେପ ନେଇଥିବାରୁ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟରାଜ୍ୟ ତୁଳନାରେ କମ ରହିଛି ।

ଏଥିରେ କୁହାଯାଇଛି ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏକି ପ୍ରଥମେ ହେଲ୍ପ ଲାଇନ୍ ନମ୍ବର ଜାରି କରିଥିଲା । ବିଦେଶରୁ ଆସୁଥିବା ଲୋକଙ୍କୁ ପଂଜୀକରଣ ବ୍ୟବସ୍ଥା କରିଥିଲା। ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ପ୍ରଥମ ହୋଟେଲରେ କ୍ବାରାଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହିଭଳି ଦେଶର ପ୍ରଥମ ସହର ହେଉଛି ଭୁବନେଶ୍ବର ଯେଉଁଠି ଜରୁରୀ ସାମଗ୍ରୀ ହୋମ୍ ଡେଲିଭରୀ କରାଯାଉଛି ।

କରୋନା ହସ୍ପିଟାଲ୍ ପାଇଁ ସରକାର ଏମ୍ଓ ୟୁ କରି ନୂଆ ମିଶାଲ ଛିଡା କରିଛନ୍ତି । ଏହି କ୍ରମରେ ସମ୍ ହସ୍ପିଟାଲ୍ରେ କରୋନା ରୋଗୀଙ୍କ ପାଇଁ ୫ ଶହ ବେଡ୍ ପ୍ରସ୍ତୁତ ହୋଇ ରହିଛି, ଯାହାର କାର୍ଯ୍ୟ ଆଗେଇ ଚାଲିଛି । ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ଓଡିଆ ଲୋକଙ୍କ ସହାୟତା ଓ ଖାଦ୍ୟ ପେୟ ଯୋଗାଇ ଦେବାକୁ ଅନୁରୋଧ କରିଛି । ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିବା ସହିତ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ଅନ୍ୟ ରାଜ୍ୟର ପାଖାପାଖି ୨୦ ହଜାର ଶ୍ରମିକ ଓ ଫସି ରହିଥିବା ଲୋକଙ୍କ ପାଇଁ ଓଡ଼ିଶା ସରକାର ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି ।

ସେହପରି ସାମାଜିକ ଦୂରତା ବଜାୟ ରଖିବା ଲାଗି ଦୋକାନ ଆଗରେ ବୃତ୍ତ ଟାଣିବାରେ ମଧ୍ୟରେ ଦେଶରେ ପ୍ରଥମ । ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ଲୋକଙ୍କ ବିଶ୍ବାସ ଭାଜନ ହେବାରେ ମଧ୍ୟ ଓଡ଼ିଶା ସରକାର ପାଦେ ଆଗରେ ଅଛନ୍ତି। ଯେଉଁଠି ଅନ୍ୟ ସ୍ଥାନରେ ଲୋକେ ପ୍ରଶାସନ ଉପରେ ଆସ୍ଥା ହରାଇ ପଳାୟନ କରୁଛନ୍ତି କିମ୍ବା ହଟହଟା ହୋଇଛନ୍ତି ସେଭଳି ଗୋଟିଏ ବି ଦୃଶ୍ୟ ଓଡ଼ିଶାରେ ଦେଖାଦେଇନି।

ଫୋନି ସମୟରେ ବିପର୍ଯ୍ୟୟ ମୁକାବିଲା କରି ଓଡ଼ିଶା ସରକାର ଦେଶ ବିଦେଶରେ ବେଶ୍ ପ୍ରଶଂସା ସାଉଁଟିଥିଲେ। ଏପରିକି ଆମେରିକାର ଟ୍ରମ୍ପ ପ୍ରଶାସନ ମଧ୍ୟ ଓଡିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏବେ କରୋନା ମୁକାବିଲାରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ଥିବା ଚର୍ଚ୍ଚା ହେଉଛି।
