ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 15, 2018 IST

ଭୁବନେଶ୍ୱର ୧୫/୮ : ସ୍ୱାଧୀନତା ଦିବସ ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଟ-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପ ଡେସ୍କ ଏବଂ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ୭୦ ଲକ୍ଷ ପରିବାରର ୩.୫କୋଟି ଲୋକ ଉପକୃତ ହେବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ହିତାଧିକାରୀ ପରିବାରର ମହିଳାମାନଙ୍କୁ ବାର୍ଷିକ ୭ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ଫଳର ରାଜ୍ୟର ୧.୫କୋଟି ମହିଳା ଏହି ଯୋଜନାରେ ଉପକୃତ ହେବେ । ବର୍ତ୍ତମାନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ସମେତ ଅନ୍ୟାନ୍ୟ ସ୍ୱଳ୍ପ ଆୟକାରୀ ପରିବାରକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାର ସୁବିଧା ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାମାନଙ୍କରେ ମିଳିବ । ଏହି ଯୋଜନାରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବ୍ୟବସ୍ଥାରେ କୌଣସି ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଓଟି ସୁବିଧା, ଅସ୍ତ୍ରୋପଚାର, ଆଇସିୟୁ ସେବା, ଅର୍ନ୍ତବିଭାଗ ସେବା ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ । ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.