ନବୀନଙ୍କୁ ଧନ୍ୟବାଦ ଦେଲେ ପିନାରାଇ ବିଜୟନ, କୋଭିଡ୍ ମୁକାବିଲାରେ ୧୧ ଅଣ ଏନଡିଏ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗର ଚିଠି ଲେଖିଥିଲେ କେରଳ ମୁଖ୍ୟମନ୍ତ୍ରୀ, ଏପଟେ ସବୁ ରାଜ୍ୟକୁ ଏକାଠି ହେବାକୁ ଆହ୍ୱାନ କରିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 04, 2021 IST

ଭୁବନେଶ୍ୱର, ୦୪/୦୬ :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିଜୟନଙ୍କ  ଚିଠିର ଉତ୍ତର ରଖିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାସହ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ  ଟିକା ନେଇ ଚିଠି ଓ ଦେଇଥିବା ପ୍ରସ୍ତାବକୁ ମଧ୍ୟ ପ୍ରଶଂସା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ୧୧ ଅଣ ଏନଡିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ କହିଥିଲେ ଯେ , ୧୧ ରାଜ୍ୟ ସରକାର ଏକାଠି ହୋଇ ମାଗଣାରେ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ଉପରେ ଚାପ ପକାଯାଉ।ସଂପ୍ରତି ଦେଶରେ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାଗଣାରେ ଭାକ୍ସିନ ଯୋଗାଇବା କଥା। ଏମିତି ହେଲେ ସବୁ ବର୍ଗର ଲୋକେ ଟିକାକରଣରେ ଉପକୃତ ହେବେ। କେବଳ ଏତିକି ନୁହେଁ ରାଜ୍ୟମାନଙ୍କ ଉପରୁ ମଧ୍ୟ ଆର୍ଥିକ ବୋଝ ହ୍ରାସ ପାଇବ। ସେମିତିରେ କରୋନା ଯୋଗୁଁ ଲାଗୁ କଟକଣାରେ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛି। ଉପରକୁ କେନ୍ଦ୍ର ରାଜ୍ୟମାନଙ୍କୁ ଟିକା କିଣିବାକୁ କହୁଛି। ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେଉଛି।ଯେତେବେଳେ ସମଗ୍ର ଦେଶ ଦ୍ଵିତୀୟ ଲହର ସହ ସଂଘର୍ଷ କରୁଛି, ସେହି ସମୟରେ କେନ୍ଦ୍ର ସରକାରଙ୍କ ଦାୟିତ୍ଵ ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ମାତ୍ରାରେ ଭାକ୍ସିନ ଯୋଗାଇ ଦେବା। ମାତ୍ର ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ନିଜର ମୌଳିକ କର୍ତ୍ତବ୍ୟ ମଧ୍ୟ କରୁ ନାହାନ୍ତି। ଅନ୍ୟପଟେ ଦ୍ଵିତୀୟ ଲହରର ପ୍ରଭାବ କେତେ ଦିନ ରହିବ ତାହା କହି ହେବ ନାହିଁ। ଏହା ସବୁ ରାଜ୍ୟ ପାଇଁ ସତର୍କ ଘଣ୍ଟି। ପୁଣି ବିଶେଷଜ୍ଞମାନେ ଦେଶରେ ତୃତୀୟ ଲହରର ଆଶଙ୍କା କରିଛନ୍ତି। ତେଣୁ ଆମକୁ ଏବେଠୁ ପ୍ରସ୍ତୁତି କରିବାକୁ ପଡିବ ବୋଲି ବିଜୟନ କହିଥିଲେ।

ବିଜୟନ ଏହି ଚିଠି ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ପାଖକୁ ପଠାଇଥିଲେ। ବିଜୟନ ଏହି ଚିଠି ରାଜ୍ୟଗୁଡିକୁ ସେହି ସମୟରେ ଲେଖିଥିଲେ, ଯେଉଁ ସମୟରେ ସୁପ୍ରିମକୋର୍ଟ ଦେଶରେ ଟିକାର ଗୋଟିଏ ଦର ନିର୍ଦ୍ଧାରଣ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ କହିଥିଲେ। ଚିଠିରେ ଆହୁରି ମଧ୍ୟ ଲେଖିଥିଲେ ଯେ, ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ରହି ପାରିବ ନାହିଁ। ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଭାକ୍ସିନ ପାଇଁ ଟେଣ୍ଡର ଡାକିଛନ୍ତି। କିନ୍ତୁ ଏଥିରେ ରାଜ୍ୟମାନଙ୍କୁ ବିଶେଷ ସଫଳତା ମିଳିନାହିଁ।  ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟଗୁଡିକୁ ବାଣ୍ଟନ୍ତୁ ବୋଲି କହିଥିଲେ ବିଜୟନ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ କରିଥିଲେ ଯେ, ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ରହି ପାରିବ ନାହିଁ। ଟିକା ଅଭାବ ଦୂର କରିବା ପାଇଁ କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଭ୍ୟାକ୍ସିନ ପାଇଁ ଟେଣ୍ଡର ଡାକିଛନ୍ତି। କିନ୍ତୁ ଏଥିରେ ରାଜ୍ୟମାନଙ୍କୁ ବିଶେଷ ସଫଳତା ମିଳିନାହିଁ।  ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟଗୁଡିକୁ ବାଣ୍ଟୁ।

ସେହିପରି ନବୀନ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତଙ୍କ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ। ଏହି ବାବଦରେ କେନ୍ଦ୍ରକୁ ଚିଠି ଲେଖିଛି ଅନ୍ୟ ରାଜ୍ୟମାନେ ବି ଆଗେଇ ଅସିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସଂପର୍କରେ ଏକ ସହମତି ସୃଷ୍ଟି  ହେଉ, ଲୋକମାନଙ୍କୁ ଟିକା ମିଳୁ। ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତତ୍ପର ଏବଂ ପ୍ରସ୍ତୁତ ହେବା ଉଚିତ୍। ସ୍ଵାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ ଚ୍ୟାଲେଞ୍ଜ। ସବୁ ବିବାଦ ଛାଡି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହେବାକୁ  ସମସ୍ତଙ୍କୁ ନବୀନ ଆହ୍ୱାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.