ଶନିବାର ସଂଧ୍ୟା ସାଢ଼େ ୫ଟାରେ ଓଡିଶା ବାସୀ ବନ୍ଦେ ଉତ୍କଳ ଜନନୀ ବୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

Published By : Prameya-News7 Bureau | May 28, 2020 IST

ଭୁବନେଶ୍ବର୨୮/୫: ଶନିବାର ସଂଧ୍ୟା ସାଢ଼େ ୫ଟାରେ ଓଡିଶା ବାସୀ ବନ୍ଦେ ଉତ୍କଳ ଜନନୀ ବୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ଯିଏ ଯେଉଁଠି ଥିଲେ ବି ସାମାଜିକ ଦୂରତ୍ବ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ବୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ  ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି  କରୋନା ମୁକାବିଲାରେ ଓଡିଶା  ସଫଳତା ପାଇଛି ଏବଂ  ପ୍ରତି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ।

ପୂରା ଓଡ଼ିଶା କରିବ ଉତ୍କଳ ଜନନୀର ବନ୍ଦନା। ଯିଏ ଯୋଉଠି ଥିବେ ସେଇଠି ଗାଇବେ ଓଡ଼ିଶାର ଏହି ରାଜ୍ୟ ସଗୀତ। ଶନିବାର ସଂଧ୍ୟା ସାଢେ ୫ଟାରେ ସମସ୍ତେ  ବନ୍ଦେ ଉତ୍କଳ ଜନନୀ ବୋଲନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏହି ଆହ୍ବାନ। କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଲାଗି ରାଜ୍ୟ ବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଭିଡିଓ ବାର୍ତ୍ତାରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ଦେ ଉତ୍କଳ ଜନନୀ ଗାନ ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ପ୍ରେରଣା ଯୋଗାଇବ । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି  ଦୁଇ ମାସ ଧରି ସାରା ଦୁନିଆ ଏକ ଜଟିଳ ପରିସ୍ଥିତିର ସାମନା କରୁଛି । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ଓଡିଶାରେ ସବୁଠାରୁ କମ୍‌ । କରୋନା ପୀଡିତଙ୍କ ମଧ୍ୟରୁ ଅଧାରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଲେଣି । ବିଶ୍ବର ଶକ୍ତିଶାଳୀ ଦେଶ ତଥା ଭାରତର ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଏହା ଓଡିଆ ଜାତି ପାଇଁ ଅଭୂତପୂର୍ବ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି।

କରୋନା ଯୁଦ୍ଧରେ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ  ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ଦେଇଛନ୍ତି  । ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.