ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ : ସମଗ୍ର ଓଡ଼ିଶାରେ ରସଗୋଲା ଦିବସ, ଅଭିମାନୀନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ହେବ ରସଗୋଲାରେ
15/07/2019 at 2:33 PM

ପୁରୀ ୧୫/୭: ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ। ରଥଯାତ୍ରାରେ ଥିବା ତିନି ଠାକୁର ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ। ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗୋଟି ପହଣ୍ଡି। ଏହି ଅବସରରେ ଅଭିମାନୀନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗର ପରମ୍ପରା ରହିଛି।

ରଥଯାତ୍ରାରେ ଥିବା ଚତୁର୍ଦ୍ଦାଗ୍ରହ ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଏହି ଅବସରରେ ଆଜି ସଂନ୍ଧ୍ୟାଧୂପ ଶେଷ ହୋଇଥିବା ବେଳେ ରଥରେ ଚାରମାଳ ବନ୍ଧାଯିବା ପରେ ସିଂହାସନ ମାଜଣା କରାଯିବ। ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ଆରମ୍ଭ ହେବ ଭବ୍ୟ ପହଣ୍ଡି । ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ବାହୁଡ଼ିବେ ରତ୍ନ ସିଂହାସନକୁ। ରଥଯାତ୍ରାର ଏହି ଅନ୍ତିମ ପର୍ବ ପାଇଁ ପୁରୀ ଏବେ ଚଳଚଞ୍ଚଳ।

ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନିଆଯାଇନଥିବାରୁ ମା’ ଲକ୍ଷ୍ମୀ ଆଜି ଜଗନ୍ନାଥଙ୍କ ବାଟ ଓଗାଳିବେ। ଅଭିମାନରେ ଜୟବିଜୟ ଦ୍ବାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ। ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବାର ପରମ୍ପରା ରହିଛି। ଏଣୁ ଆଜି ରଥରେ ଭକ୍ତମାନେ ବହୁସଂଖ୍ୟାରେ ଆସି ରସଗୋଲା ଭୋଗ କରିଛନ୍ତି। ରଥ ଚାରି ପାର୍ଶ୍ବରେ ଥିବା ଦୋକାନ ଗୁଡ଼ିକରେ ବହୁ ପରିମାଣରେ ରସଗୋଲା ମହାପ୍ରଭୁଙ୍କ ଭୋଗ ପାଇଁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ସମର୍ପଣର ନୀତି ଥିବାରୁ ଭକ୍ତମାନେ ଏହି ସୁଯୋଗ ନେଉଥିବାର ଦେଖିବାକୁ ମିଳିଛି। ଆଜିର ଏହି ନିଳାଦ୍ରୀ ବିଜେ ନୀତି ପରେ ଶେଷ ହେବ ରଥଯାତ୍ରାର ସବୁ ନୀତି। ଆଉ ଏକ ବର୍ଷ ଅପେକ୍ଷା ରହିବ ଆଉ ଏକ ଘୋଷଯାତ୍ରାର।