‘କରୋନା’ ରାଜ୍ୟ ବିପର୍ଯ୍ୟୟ ଘୋଷଣା, ମୁକାବିଲା ପାଇଁ ୨୦୦କୋଟି : ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ, ସିନେମା ହଲ୍ ବନ୍ଦ
13/03/2020 at 11:57 AM

ଭୁବନେଶ୍ବର ୧୩।୩: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ ଯୋଜନାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ କରୋନା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି ।
ଏହାସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଛି । ସ୍କୁଲ, କଲେଜରେ କେବଳ ପରୀକ୍ଷା କରାଯାଇପାରିବ । ସେମିନାର, ଓ୍ବାର୍କସପ୍, କନଫରେନ୍ସ ଆଦି ନକରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ମଧ୍ୟ ବନ୍ଦ ରହିବ । ସେହିଭଳି ବିବାହ ଆଦି ଉତ୍ସବକୁ ସ୍ଥାନୀୟ ଅଧିକାରୀମାନେ ନିୟନ୍ତ୍ରଣ କରିବେ । ତେବେ ବିଧାନସଭା ଚାଲିଥିବାରୁ ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନେଇ ଗୁଜବ ପ୍ରଚାରକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିଭଳି ମ୍ୟୁନିସିପାଲିଟି ଆକ୍ଟ ସଂଶୋଧନ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ବାଜିଛି । ଏହାସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି ।
ଅନ୍ୟପଟେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ପାଇଁ ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ତେବେ ଗୃହ ବନ୍ଦ ପ୍ରସ୍ତାବକୁ ବିରୋଧୀ ଦଳ ନେତା ବିରୋଧ କରିଛନ୍ତି । ରାଜ୍ୟରେ କରୋନା ଆତଙ୍କ ଦେଖାଦେଇନି । ତା ପୂର୍ବରୁ ବିଧାନସଭା ବନ୍ଦ କରିବା ଉଚିତ୍ ନୁହେଁ ବୋଲି ବିରୋଧୀ ମତ ପ୍ରକାଶ କରିଛନ୍ତି ।