ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମୋଟ୍ ୧୮ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଦୁଇଟି ନୂଆ ଘରୋଇ ତଥା ସେଲ୍ଫ ଫାଇନାନ୍ସ ବିଶ୍ୱ ବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟ୍‌ ମଂଜୁରି ଦେଇଛି । ସିଭି ରମଣ ଇଂଜିନିୟରିଂ କଲେଜକୁ ବିଶଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଯୋଗ, ଯୋଗ ବିଜ୍ଞାନ, ନେଚରପ୍ୟାଥି, କଳା, ସ୍ଥାପତ୍ୟ, ଧାର୍ମିକ ତଥା ମନସ୍ତତ୍ୱ ପରିଚାଳନା ତଥା ଭାରତୀୟ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ପାଇଁ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ନାମରେ ଏକ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି । ଉଭୟ ବିଶ୍ୱ ବିଦ୍ୟାଳୟ ଲାଗି ଚଳିତ ବିଧାନସଭାରେ ସ୍ୱତନ୍ତ୍ର ବିଲ୍‌ ଆଗତ କରାଯିବ । ତାହା ପାରିତ ହେବା ପରେ ବିଶ୍ୱବିଦ୍ୟାଳୟ ମନ୍ୟତା ମିଳିବ ।

ବିନା ଲାଇସେନସ୍‌ ତଥା ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଚାଲୁଥିବା ଫିଜିଓଥେରାପି ସେଣ୍ଟରଗୁଡ଼ିକୁ ସୁବ୍ୟବସ୍ଥିତ ତଥା ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ସରକାର ଫାର୍ମାସି କାଉନ୍‌ସିଲ୍‌ ଭଳି ଏକ କାଉନ୍‌ସିଲ୍‌ ଗଠନ କରାଯିବ। ଯେଉଁ କାଉନ୍‌ସିଲ୍‌ ଫିଜିଓଥେରାପି ସେଣ୍ଟର କିଏ ଚଳାଇବେ ଏବଂ କେଉଁମାନେ ଚିକିତ୍ସା କରିପାରିବେ ସେସବୁ ତଦାରଖ କରିବା ସହ ଲାଇସେନ୍ସ ଦେବେ ।

ଆସନ୍ତା କାଲି କ୍ୟାବିନେଟ୍‌ରେ ୭ଟି ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ମଂଜୁରି ଦେଇଛି । ଏହି ପ୍ରକଳ୍ପଗୁଡ଼ିକ ସୋନପୁର, ସୁନ୍ଦରଗଡ଼, ରାୟଗଡ଼ା, କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ଏସବୁ ପ୍ରକଳ୍ପ ନିର୍ମାଣ କରାଯିବ। ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ସମ୍ପୃକ୍ତ ଠିକାଦାରୀ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ଏସବୁ ପ୍ରକଳ୍ପର ପରିଚାଳନା ଓ ମରାମତି କରିବେ ।

ଝାରସୁଗୁଡ଼ା ସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ବହୁଦିନର ଦାବି ପୂରଣ କରିଛନ୍ତି ସରକାର । କଲେଜ ଚାଲୁଥିବା ୪.୫୬ ଏକର ଜମିକୁ ମାଗଣାରେ କଲେଜକୁ ଦେବା ସହିତ କଲେଜ ଉପରେ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ବାବଦରେ ସରକାର ଭଡ଼ା କଷିଥିବା ପ୍ରୟ ୮୪ ଲକ୍ଷ ଟଙ୍କା ମଧ୍ୟ ମାଫ୍‌ କରିଛନ୍ତି । ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୪.୫୬ ଏକର ଜମି ଏବଂ ଏହା ଉପରେ ଥିବା ହଷ୍ଟେଲ ରୁମ୍‌ରେ ଲକ୍ଷ୍ମୀନାରାୟଣ କଲେଜ୍‌ ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ବର୍ଷ ଧରି ଏହି କଲେଜ୍‌ ଚାଲୁଥିଲେ ମଧ୍ୟ କଲେଜକୁ ଏହି ଜମି କିମ୍ବା ଘର ହସ୍ତାନ୍ତର ହୋଇନଥିଲା । ଓଲଟା ବୈଷୟିକ ଶିକ୍ଷା ବିଭାଗ କଲେଜ ଉପରେ ପ୍ରତି ମାସରେ ଭଡ଼ା କଷୁଥିଲା ।

ଯାହା ବଢ଼ି ବଢ଼ି ୮୪ ଲକ୍ଷ ଟପିଯାଇଥିଲା । ରାଜ୍ୟ କ୍ୟାବିନେଟ୍‌ ଏହାର ଚିରସ୍ଥାୟୀ ସମାଧାନ କରିଛନ୍ତି । ଉକ୍ତ ଜମିକୁ କଲେଜକୁ ମାଗଣାରେ ଦେବା ସହିତ ସମସ୍ତ ଭଡ଼ା ମାଫ୍‌ କରିଛନ୍ତି । ରାଜ୍ୟ ଜିଏସ୍‌ଟିରେ ଆଜି କ୍ୟାବିନେଟ୍‌ ସଂଶୋଧନ କରିଛି । ସେହିଭଳି ଓଡ଼ିଶା ଅତ୍ୟାବଶ୍ୟକ ଦ୍ରବ୍ୟ ସେବା ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି । ଇଡ୍‌କଲ ନିୟମାବଳିରେ ମଧ୍ୟ ସଂଶୋଧନ କରାଯାଇଛି । ମୃତ୍ତିକା ସଂରକ୍ଷଣ ବିଭାଗରେ ନିଯୁକ୍ତି ଓ ଚାକିରି ସର୍ତ୍ତାବଳି ନିୟମରେ ମଧ୍ୟ ସଂଶୋଧନ କରାଯାଇଛି । ଏବେ ଚାଲୁଥିବା ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆହୁତକୁ ମଧ୍ୟ କ୍ୟାବିନେଟ୍‌ ମଂଜୁରି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.