ଦୁବାଇରେ ଫଶିଛନ୍ତି ଓଡିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର କରିବାକୁ ଅନୁରୋଧ
1/06/2019 at 11:14 AM

ନୟାଗଡ ୧|୬: ଦୁବାଇରେ ଫଶିଥିବା ୧୦ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ଶ୍ରମିକଙ୍କ ପରିବାର ପକ୍ଷରୁ ଅନୁରୋଧ । ୧୦ ଶ୍ରମିକଙ୍କ ମଧ୍ୟରେ ୮ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ନୟାଗଡ଼ ଜିଲ୍ଲା କୁରୁଡ଼ଙ୍ଗ ଗାଁର ପ୍ରତାପ ଓ ଗୁମାନ ମହାରଣା ।

ଗତ ୧୧ ମାସ ତଳେ ଖୋର୍ଦ୍ଧା ମଠପାଟଣା ଗାଁର ଦୁଇ ଦଲାଲ ଅଭିମନ୍ୟୁ ସ୍ବାଇଁ ଓ ଅନିଲ ସ୍ବାଇଁ ସମସ୍ତ ଶ୍ରମିକଙ୍କୁ କାମ କରିବା ପାଇଁ ଦୁବାଇ ନେଇଥିଲେ । ମାସିକ ୩୫ ହଜାର ଟଙ୍କା ଲେଖାଏଁ ଦରମାର ଲୋଭ ଦେଖାଇ ପ୍ରତି ଶ୍ରମିକଙ୍କ ଠାରୁ ୮୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ଦୁବାଇ ପଠାଇଥିଲେ ।

ତେବେ ୧୧ ମାସ ହେବ ସେମାନଙ୍କୁ ଦରମା ଦେଉନାହାଁନ୍ତି କି ଖାଇବାକୁ ମଧ୍ୟ ଦେଉନାହାଁନ୍ତି ସେଠାକାର ଅଧିକାରୀ । ଏପରିକି ଘର ଲୋକଙ୍କ ସହିତ କଥା ହେବାକୁ ବାରଣ କରି ସେମାନଙ୍କୁ ନଜରବନ୍ଦୀ ରଖାଯାଇଛି । ତେବେ ପୀଡ଼ିତ ଶ୍ରମିକ ମାନେ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ଯାହା ଭାଇରାଲ ହେବା ପରେ ଶ୍ରମ ବିଭାଗର ଅଧିକାରୀ ସଂପୃକ୍ତ ଶ୍ରମିକଙ୍କ ଘରକୁ ଯାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।