ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 01, 2021 IST

ଭୁବନେଶ୍ବର ୧।୧୨: ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଭିଡିଓ କନଫରେନ୍ସିଂରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାୟ ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ପୂର୍ବତନ ସିପାହୀ ସୀତାରାମ ମୁର୍ମୁଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମର୍ଥନ କରିଛନ୍ତି । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେପଟେ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ସରକାରଙ୍କୁ କାଠଗଡାକୁ ଭିଡିବାକୁ ପ୍ରସ୍ତୁତ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତା ମାମଲାରେ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିବ ବିଜେପି । ଏହାସହ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, କେବଳ ରଙ୍ଗଦେଇ ସ୍କୁଲର ରୁପାନ୍ତରୀକରଣ, ଆବାସ ଯୋଜନା ଦୁର୍ନୀତି ଏବଂ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେପି ।

କଂଗ୍ରେସ ମଧ୍ୟ ମମିତା ହତ୍ୟା ମାମଲାରେ ଏସଆଇଟି ତଦନ୍ତ ଦାବି କରି ସରକାରଙ୍କୁ ଘେରିବାକୁ ରଣନୀତି କରିଛି । ଏହା ସହିତ ଧାନ ମଣ୍ଡି ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସଙ୍ଗ କରିବ କଂଗ୍ରେସ । ବିରୋଧୀଙ୍କ ଆକ୍ରମଣର ସାମ୍ନା କରିବା ପାଇଁ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର କରିଛି ବିଜେଡି । ଏହାସହ ଦରଦାମ ବୃଦ୍ଧି ଏବଂ ଗ୍ୟାସ୍ ଦର ବୃଦ୍ଧିକୁ ମଧ୍ୟ ପ୍ରସଙ୍ଗ କରିବ ବିଜେଡି ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୬ଟି କାର୍ଯ୍ୟ ଦିବସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.