ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ, ଆଜି ହେବ ଉପବାଚସ୍ପତି ନିର୍ବାଚନ
27/06/2019 at 8:43 AM

ଭୁବନେଶ୍ବର ୨୭|୬: ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ଆଜି ହେବ ବିଧାନସଭା ଉପ-ବାଚସ୍ପତି ନିର୍ବାଚନ । ଗତକାଲି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉପ-ବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପତ୍ର ଦାଖଲ କରିବାକୁ ଆହ୍ଵାନ କରିଥିଲେ ।
ପୂର୍ବରୁ ଉପ-ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଭାବେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ନାମ ଘୋଷଣା କରାଯାଇଥିଲା । ରଜନୀକାନ୍ତ ସିଂହ ସେହି ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନାହିଁ । ବାଚସ୍ପତି ନିର୍ବାଚନ ବେଳେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା । ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।
ବିଧାନସଭାର ମୋଟ୍ ଆସନ ସଂଖ୍ୟା ୧୪୭ ହୋଇଥିବା ବେଳେ ବିଜୁ ଜନତା ଦଳ ୧୧୨ ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିରୋଧୀ ଭାରତୀୟ ଜନତା ପାର୍ଟିର ୨୩ ଜଣ ଏବଂ କଂଗ୍ରେସର ୯ ଜଣ ସଭ୍ୟ ଅଛନ୍ତି । ତେଣୁ ଏହି ପଦବି ବିଜେଡି ଖାତାକୁ ଯିବା ଥୟ । ବିଧାୟକ ଭାବେ ରଜନୀକାନ୍ତ ବେଶ୍ ଅଭିଜ୍ଞ । ପୂର୍ବରୁ ରଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇଛନ୍ତି । ସେହିପରି ପ୍ରଶ୍ନକାଳରେ ମଧ୍ୟ କଣ ରହିବ ସ୍ଥିତି ତା ଉପରେ ମଧ୍ୟ ନଜର ରହିବ ।