ଶୁକ୍ରବାରଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ : ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ
13/02/2020 at 8:51 AM

ଭୁବନେଶ୍ବର ୧୩।୨: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ।
ଶୁକ୍ରବାର ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ୍ ଅଧିବେଶନ । ୧୮ରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ । ଏଥର ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ଡାକିଛି । ପୃଥକ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବସିବ । ସରକରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା କରିଛନ୍ତି । କାଳିଆଠାରୁ ଗୃହ ନିର୍ମାଣ, ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିଛନ୍ତି ବିରୋଧୀ । ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି କହିଛି ।