ବିଧାନସଭା ବଜେଟ୍ ଅଧିବେଶନ : ଚାଷୀ ଓ ଚିଟଫଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
5/02/2019 at 4:11 PM

ଭୁବନେଶ୍ବର ୫|୧: ବିଧାନସଭାର ବଜେଟ୍ ଅଧିବେଶର ଦ୍ବିତୀୟ ଦିନରେ ବାରମ୍ବାର ଗୃହ ମୁଲତବୀ । ଗୃହ କାର୍ଯ୍ୟ ଅପରାହ୍ନ ୩ଟା ପରେ ଆରମ୍ଭ ହୋଇଥିବାବେଳେ ସମାନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମାତ୍ର ୨ମିନିଟ୍ ଚାଲିପାରିଥିଲା ଗୃହ । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଗୃହକାର୍ଯ୍ୟ ଆରମ୍ଭରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଥିଲେ । ଚିଟଫଣ୍ଡ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ୍ କରିଥିଲେ ବିରୋଧୀ । ଗୃହର ମଧ୍ୟ ଭାଗରେ ଚିଟଫଣ୍ଡ ଠକେଇ ଲେଖାଥିବା ଗାଉନ୍ ପିନ୍ଧି ବିରୋଧୀ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ଅନ୍ୟପଟେ କଂଗ୍ରେସ ସଦସ୍ୟମାନେ ଚାଷୀ ଏବଂ ଚାଷ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ପରେ ୧୧ଟା ୩୦ରେ ଯେତେବେଳେ ଗୃହ କାର୍ଯ୍ୟ ପୁର୍ନବାର ଆରମ୍ଭ ହୋଇଥିଲା ସମାନ ପ୍ରସଙ୍ଗରେ ଗୃହରେ ହୋହଲ୍ଲା ହୋଇଥିଲା । ଅପରାହ୍ନ ୧ଟାରେ ମଧ୍ୟ ହୋହଲ୍ଲା ହୋଇଥିଲା । ବାଚସ୍ପତି ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଦିନ ୩ଟାବେଳେ ମଧ୍ୟ ଗୃହ କାର୍ଯ୍ୟ ସ୍ବଭାବିକ ଚାଲିପାରିନଥିଲା । ଗୃହ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ମଧ୍ୟ ଗୃହରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ତେଣୁ ଆସନ୍ତାକାଲି ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ ।