କରୋନା ବାଦଲ : ମାର୍ଚ୍ଚ ୨୯ପର୍ଯ୍ୟନ୍ତ ବିଧାନସଭା ମୁଲତବୀ, ୩୦ରୁ ଚାଲିବ ଗୃହ

Published By : Prameya-News7 Bureau | March 13, 2020 IST

ଭୁବନେଶ୍ବର ୧୩।୩: କରୋନା ଭାଇରସ୍ ପାଇଁ ସାରା ଦେଶରେ ଏବେ ଭୟର ବାତ୍ତାବରଣ । ଏମିତିରେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।

ଏଭଳି ସ୍ଥିତିରେ କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖାଯାଇଛି । ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭାକୁ ମୁଲତବୀ ରଖିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ସେ ଗୃହକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସସପେଣ୍ଡ କରିବାକୁ ପ୍ରସ୍ତାବ ଦେଇଥିଲେ ।

ତେବେ ବିଧାନସଭାକୁ ସସପେଣ୍ଡ କରିବା ପାଇଁ ଶାସକ ଦଳ ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ନେତା ଏହାକୁ ବିରୋଧ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ କରୋନା ଆତଙ୍କ ଦେଖାଦେଇନାହିଁ । ତେଣୁ ଏପରି ଭୟ ଅମୂଳକ । ସେହି ଆଧାରରେ ବିଧାନସଭା କାର୍ଯ୍ୟକୁ ବନ୍ଦ କରାଯିବା ବା ସସପେଣ୍ଡ କରାଯିବା ଉଚିତ୍ ହେବନାହିଁ ବୋଲି ସେ ଯୁକ୍ତି କରିଥିଲେ ।

ତେବେ ଏନେଇ ଗୃହରେ କିଛି ସମୟ ଧରି ଯୁକ୍ତିତର୍କ ଜାରି ରହିଥିଲା । ଶେଷରେ ଗୃହକୁ ୨୯ ତାରିଖ ପର୍ଯ୍ୟନ୍ତ (ସେହି ଦିନକୁ ମିଶାଇ) ସ୍ଥଗିତ ରଖିବାରୁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି । ୩୦ ତାରିଖରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କରୋନା ଭାଇରସ୍ କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ଘୋଷଣା କରିଥିବା ବେଳେ ସୁଇମିଂ ପୁଲ୍, ଜିମ୍, ସିନେମା ହଲ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.