ମିଛ ଧରାପଡ଼ିବା ପରେ ବି ମାନୁନି ଆନ୍ଧ୍ରର ମନ: କୋରାପୁଟ ସୀମାନ୍ତ ସମ୍ବାଇରେ ଚଳାଇଛି ସୀମା ଟପିବାକୁ ଚଳାଇଛି ଷଡ଼ଯନ୍ତ୍ର
5/01/2021 at 6:42 PM

କୋରାପୁଟ ୦୫/୦୧ : ମିଛ ଧରାପଡ଼ିବା ପରେ ବି ମାନୁନି ଆନ୍ଧ୍ରର ମନ । କୋରାପୁଟ ସୀମାନ୍ତ ସମ୍ବାଇରେ ଚଳାଇଛି ସାଂଘାତିକ ଷଡ଼ଯନ୍ତ୍ର । ଗତମାସରେ ମିଳିତ ସର୍ଭେ ସମୟରେ ଜାମୁଗୁଡ଼ାରେ ଆନ୍ଧ୍ରର ଅନୁପ୍ରବେଶ ପ୍ରମାଣିତ ହୋଇଥିବା ବେଳେ ସୁନାବେଡ଼ାରେ ଅଟକି ଥିଲା କଥା । ହେଲେ ଏବେ ସୁନାବେଡ଼ାରେ ଆନ୍ଧ୍ର ପକ୍ଷରୁ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ରାଜ୍ୟର ଏଭଳି ଷଡ଼ଯନ୍ତ୍ର ବିରୋଧରେ ମେଳି ବାନ୍ଧିଛନ୍ତି ଓଡ଼ିଶା ସୀମାରେ ଥିବା ପାଖାପାଖି ୩୦ଖଣ୍ଡ ଗାଁ ଲୋକେ । ସ୍ଥିତି ବିଗୁଡ଼ୁଥିବା ଦେଖି ବିଜେଡିର ଏକ ଟିମ୍ ସମ୍ବାଇରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ମିଛ ଧରାପଡ଼ିବା ପରେ ବି ମାନୁନି ଆନ୍ଧ୍ରର ମନ । କୋରାପୁଟ ସୀମାନ୍ତ ସମ୍ବାଇରେ ଚଳାଇଛି ସାଂଘାତିକ ଷଡ଼ଯନ୍ତ୍ର । ମିଳିତ ସର୍ଭେରେ ଜାମୁଗୁଡ଼ାରେ ଆନ୍ଧ୍ରର ଅନୁପ୍ରବେଶ ପ୍ରମାଣିତ ହେବା ପରେ ଏବେ ସୁନାବେଡ଼ାରେ ସୀମା ଟପିବାକୁ ଷଡ଼ଯନ୍ତ୍ର ଚଳାଇଛି ପଡ଼ୋଶୀ ପ୍ରଶାସନ । ସୀମାରେ ଥିବା ପଥର ଚିହ୍ନକୁ ରାତାରାତି ଘୁଞ୍ଚାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଛି । ଯାହାକୁ ବିରୋଧ କରିଛନ୍ତି ଓଡ଼ିଶା ସୀମାରେ ଥିବା ପାଖାପାଖି ୩୦ଖଣ୍ଡ ଗାଁ ଲୋକେ । ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସମାଧାନରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ବଢ଼ୁଛି । ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାର ୩ଜଣ ବିଧାୟଙ୍କ ସହ ବିଜେଡିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟିବା ପରେ ସମ୍ବାଇରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।

୧୯୬୩ ମସିହା ସେଟଲମେଣ୍ଟ ମ୍ୟାପ୍ ଅନୁସାରେ ସୀମା ବିବାଦ ସମାଧାନ କରିବାକୁ ଉଭୟ ରାଜ୍ୟର ଅଧିକାରୀମାନେ ରାଜି ହୋଇଛନ୍ତି । ଏହି ମ୍ୟାପ୍ ଅନୁସାରେ ସୀମାରେ ଥିବା ୬ଟି ପଥର ହିଁ ସୀମା ନିର୍ଦ୍ଧାରଣ କରୁଛି । ତେବେ ଗତମାସରେ ହୋଇଥିବା ସର୍ଭେ ବେଳେ ଜାମୁଗୁଡ଼ାରେ ଆନ୍ଧ୍ର ଓଡ଼ିଶା ସୀମା ଭିତରକୁ ପଶିଆସିଥିବା ପ୍ରମାଣିତ ହୋଇଥିଲା । ଯାହାକୁ ପଡ଼ୋଶୀ ପ୍ରଶାସନ ମଧ୍ୟ ସ୍ବିକାର କରିଥିଲା । ହେଲେ ସୁନାବେଡ଼ାରେ ଅଟକି ଥିଲା କଥା । ଗଲା ୨ମାସ ହେଲା କୋରାପୁଟ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଓ ଜାମୁଗୁଡ଼ାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଉଭୟ ପଟର ଲୋକଙ୍କ ଭିତରେ ଉତ୍ତେଜନା ଲାଗି ରହିଛି । ଏମିତିକି ରାସ୍ତା ଅବରୋଧ, ହାତାହାତି ପର୍ଯ୍ୟନ୍ତ ବି କଥା ଯାଇଛି । ଦୁଇ ରାଜ୍ୟ ପ୍ରଶାସନର ଉଦ୍ୟମ ପରେ ବି ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନି । ତେବେ ଆଗାମୀ ଦୁଇ ଦିନ ଭିତରେ ଆନ୍ଧ୍ର ପ୍ରଶାସନ ସହ ବୈଠକ ହେବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ଯେଉଁଠି ସୀମା ସୁରକ୍ଷା ପାଇଁ ପ୍ରଶାସନ ଲଢ଼ିବା କଥା ସେଠି ଲୋକେ ଲଢ଼ୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବାରମ୍ବାର ଆନ୍ଧ୍ରର ମନମାନି ସାମ୍ନାକୁ ଆସିବା ପରେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୋରାପୁଟ ପ୍ରଶାସନ କାହିଁକି ତତ୍ପରତା ଦେଖାଉନାହିଁ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।