ଦାଦନ ଖଟିବାକୁ ଯାଇ ରାସ୍ତାରୁ ନିଖୋଜ ହେଲେ ଓଡିଆ ଯୁବକ ନବୀନ, ୫ଦିନ ପରେ ବି ମିଳୁନି ପତ୍ତା

Published By : Prameya-News7 Bureau | July 31, 2021 IST

ଝାରସୁଗୁଡା ୩୧।୭: ଦାଦନ ଖଟିବାକୁ ଗୋଆ ଯାଉଥିବା ଓଡିଆ ଯୁବକ ରାସ୍ତାରୁ ହେଲା ନିଖୋଜ । ଏ ଭିତରେ ୫ ଦିନ ବିତିଯାଇଥିଲା ବେଳେ ପରିବାର ଲୋକେ ଏବେ ଚିନ୍ତାରେ । ରୋଜଗାର ଅଭାବ ଯୋଗୁଁ ଅଧିକ ରୋଜଗାର ଲୋଭରେ ବାହାର ରାଜ୍ୟକୁ ଯାଉଛନ୍ତି ଓଡ଼ିଆ ଯୁବକ। କିଛି ଦଲାଲମାନଙ୍କଠାରୁ ଲୋଭନୀୟ ପ୍ରତିଶ୍ରୁତି ଓ ଆର୍ଥିକ ସହାୟତା ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଅନେକ ସମୟରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ।

ଗତ ୨୬ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଭାତଲଇଡା ଗାଁର କିଛି ଯୁବକଙ୍କୁ ଉକ୍ତ ଗାଁର ଜଣେ ଦଲାଲ ଗୋଆରେ ମାଛଧରା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବସରେ ନେଇ ଯାଉଥିଲା। କିନ୍ତୁ ଯିବା ବାଟରେ ସେମାନଙ୍କ ମଧ୍ୟରୁ ଭାତଲଇଡା ଗାଁର ନବୀନ ସୁହୁଲା ନାମକ ଜଣେ ବ୍ୟକ୍ତି ହଠାତ୍ ରାସ୍ତାରେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ସମ୍ପୃକ୍ତ ଦଲାଲ ଜଣାଇଥିଲେ। ଏହି ଖବର ଦେବା ପରେ ସମ୍ପୃକ୍ତ ଦଲାଲ ସହିତ ପରିବାର ଲୋକଙ୍କର ଆଉ ଯୋଗାଯୋଗ ହୋଇପାରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭାତଲୈଡା ଗ୍ରାମର ଜଣେ ଦଲାଲ ସହ ଗାଁର କିଛି ଯୁବକ ଗୋଟିଏ ବୋଲେରୋ ଗାଡିରେ ସୁନ୍ଦରଗଡ ଯିବା ପରେ ସେଠାରୁ ଆଔ ଅଧିକ ଯୁବକଙ୍କୁ ନେଇ ଏକ ବସ୍ ଗୋଆ ଗସ୍ତ କରୁଥିଲା । କିନ୍ତୁ ୨୭ ତରିଖ ସକାଳୁ ପରିବାର ଲୋକଙ୍କୁ ଦଲାଲ୍ ଜଣକ ଫୋନ୍ କରି ନବୀନ ସୁହୁଲା ନିଖୋଜ ହୋଇଥିବାରୁ ସେମାନେ ତାକୁ ବାଟରେ ଛାଡି ପଳାଇଥିବା କହିବା ପରେ ପରିବାର ଲୋକଙ୍କ ହୋସ୍ ଉଡିଯାଇଥିଲା । ଏ ବାବଦରେ ଲଇକେରା ପୋଲିସକୁ ମଧ୍ୟ ପରିବାର ଲୋକେ ଜଣାଇଥିବା କହିଛନ୍ତି । ବହୁ ଖୋଜାଖୋଜି ପରେ ନିରାଶ ହୋଇ ଶେଷରେ ଗଣମାଧ୍ୟମ ଜରିଆରେ ନବୀନକୁ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.