ଲସ୍କର ଏ ତୋଏବା ଲିଙ୍କରେ ଗିରଫ ହେଲା ଓଡିଆ ଯୁବକ
6/08/2018 at 1:09 PM

ନୂଆଦିଲ୍ଲୀ୬|୮: ଲସ୍କର ଏ ତୋଏବା ଲିଙ୍କରେ ଜଣେ ଓଡ଼ିଆ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତାର ନାଁ ହବିବୁର ରହମ୍ମନ। ସାଉଦୀ ଆରବରୁ ଆସିବା ସମୟରେ ଦିଲ୍ଲୀ ଏୟାରପୋର୍ଟରୁ ତାକୁ ଏନଆଇଏ ଗିରଫ କରିଛି। …..
ଆତଙ୍କବାଦୀ ସଂଗଠନ ଲସ୍କର ଓ ତୋଏବା ଲିଙ୍କରେ ଓଡ଼ିଆ ଯୁବକ ଗିରଫ। ସାଉଦୀ ଆରବରୁ ଦିଲ୍ଲୀ ଆସୁଥିବା ବେଳେ ଲସ୍କର ଏଜେଣ୍ଟ ହବିବୁର ରେହମ୍ମନକୁ ଏନଆଇଏ ଗିରଫ କରିଛି। ହବିବୁର ରହମ୍ମନର ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ସୂଚନା ମିଳିଛି। ବେଶ୍ କିଛି ଦିନ ହେଲା ତାର କାର୍ଯକଳାପ ଉପରେ ଏନଆଇଏ ନଜର ରଖିଥିଲା। ଲସ୍କର ଏ ତୋଇବା ଆତଙ୍କବାଦୀ ଶେଖ ଅବଦୁଲ ନଇମ ପାଇଁ କାମ କରୁଥିଲା ହବିବୁର୍। ନଇମ୍ ୨୦୦୭ରେ ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଗିରଫ ହୋଇଥିଲା। କିନ୍ତୁ ୨୦୧୪ରେ ପୋଲିସକୁ ଚକମା ଦେଇ ଖସି ଯାଇଥିଲା ନଇମ୍। ସେବେଠାରୁ ନଇମ୍ ଉପରେ ନଜର ରଖିଥିଲା ଏନଆଇଏ। ଆଉ ନଇମର ନେଟୱର୍କର ଖୋଳତାଡ଼ କରୁ କରୁ ହବିବୁର ରେହମ୍ମନ ପାଖରେ ପହଞ୍ଚିଥିଲା ଏନଆଇଏ। ଦେଶରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, ସ୍ଥାନ ଚିହ୍ନଟ କରିବା ଇତ୍ୟାଦିରେ ଏହି ନେଟୱର୍କ ଜଡ଼ିତ ଥିଲା। ହବିବୁର ରହମ୍ମନ ସାଉଦୀ ଆରବର ରିୟାଦରେ ରହି ଲସ୍କର ଏ ତୋଇବା ପାଇଁ କାମ କରୁଥିଲା। ଆଜି ଦିଲ୍ଲୀ ଆସୁଥିବା ସୂଚନା ପାଇ ଦିଲ୍ଲୀ ବିମାନ ବନ୍ଦରରେ ତାକୁ ଟ୍ରାପ କରିଥିଲା ଏନଆଇଏ। ତେବେ ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହବିବୁର ରହମ୍ମନକୁ ସାଉଦୀ ଆରବ ସହାୟତାରେ ହିଁ ଭାରତ ଅଣାଯାଇ ତାପରେ ଗିରଫ କରାଯାଇଛି। ଗିରଫ ପରେ ହବିବୁର ରହମ୍ମନକୁ ପଟିଆଲା ହାଉସକୋର୍ଟରେ ହାଜର କରାଯାଇଥିଲା। ଆଉ ତାପରେ ରିମାଣ୍ଡରେ ନେଇ ତାକୁ ପଚରାଉଚୁରା କରାଯିବ। ଏପରିକି ତାକୁ ଓଡ଼ିଶା ଅଣାଯାଇ ଏଠାରେ ତାର ଟେରର ନେଟୱର୍କ କେଉଁଠି ଜାରି ରହିଛି ସେ ସଂପର୍କରେ ମଧ୍ୟ ଖୋଳତାଡ଼ କରିବ ଏନଆଇଏ। ପୂର୍ବରୁ କଟକରୁ ଉପକଣ୍ଠରୁ ଅବଦୁର ରହମ୍ମନକୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ ବହୁ ହଇଚଇ ସୃଷ୍ଟି ହୋଇଥିଲା। ଅବଦୁର ରହମ୍ମାନ ମାମଲାରୁ ସଂପୂର୍ଣ୍ଣ ପରଦା ନ ହଟୁଣୁ ପୁଣି ଜଣେ ଓଡ଼ିଆ ଯୁବକ ଆତଙ୍କବାଦୀ ସନ୍ଦେହରେ ଗିରଫ ହେବା ଆଲୋଡ଼ନ ସୃଷ୍ଟି କରିଛି।