‘ମିଶନ ଗଗନାୟନ’ : ମିଶନରେ ଓଡିଆ ଓ୍ୱିଙ୍ଗ୍‌ କମାଣ୍ଡର, ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଅଭିଯାନ ‘ମିଶନ ଗଗନାୟନ’ ପାଇଁ ମନୋନୀତ ହୋଇଥିବା ୪ ଜଣ ପାଇଲଟଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ରୁଷରେ ଶେଷ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବଲାଙ୍ଗୀରର ୱିଙ୍ଗ କମାଣ୍ଡର ନିଖିଳ ରଥ । ନିଖିଳଙ୍କୁ ଏଥିପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ରଥ ଶୁଭେଚ୍ଛା ଜଣାଇଛନ୍ତି ।

ରୁଷର ଗାଗାରିନ୍‌ ମହାକାଶ ଗବେଷଣା କେନ୍ଦ୍ରରେ ଏମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପାଣିପାଗ ଓ ଭୌଗୋଳିକ ପରିବେଶରେ ମହାକାଶଯାନର ଅବତରଣ ଏବଂ ସେଠାରୁ ସେମାନଙ୍କୁ ଉଦ୍ଧାର କରି କିପରି ଅଣାଯିବ ଏବଂ ଇଲ୍ୟୁସିନ-୭୬ ସ୍ପେଶାଲ ଏମଡିକେ ବିମାନ ଭିତରେ ବି ଜିରୋ ଗ୍ରାଭିଟିରେ ବିଭିନ୍ନ କାର୍ଯ୍ୟ କରିବାର ପ୍ରଶିକ୍ଷଣ ଦିଆଯାଇଛି ।ଫେବ୍ରୁଆରୀ ୧୦ରେ ସେମାନଙ୍କର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା ଏବଂ କରୋନା ସଂକ୍ରମଣ ସତ୍ତେ୍ୱ ତାହାକୁ ଜାରି ରଖାଯାଇଥିଲା । ରୁଷର ସ୍ପେସ କର୍ପୋରେସନ ରସକସମୋସ ତରଫରୁ କୁହାଯାଇଛି କି ୪ ପାଇଲଟଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ସେମାନେ ନିଜର ପ୍ରଶିକ୍ଷଣ ଜାରି ରଖିବାକୁ ଆଗ୍ରହୀ ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ସେଣ୍ଟ୍ରିଫ୍ୟୁଜ୍‌ ଓ ହାଇପରବାରିକ୍‌ ଚାମ୍ବର ଭିତରେ ବି ଟ୍ରେନିଂ ଦିଆଯିବ । ଏହି ପର୍ଯ୍ୟାୟରେ ସେମାନଙ୍କୁ ମହାକାଶଯାତ୍ରା ସମୟରେ ଶରୀର ଉପରେ ପ୍ରଭାବ ପକାଉଥିବା ବିଭିନ୍ନ କାରକ ଯେପରିକି ଜି-ଫୋର୍ସ, ଚାପ ହ୍ରାସ ପାଇବା ଏବଂ ହାଇପକ୍ସିଆ ସହ ଅଭ୍ୟସ୍ତ କରାଯିବ । ଆସନ୍ତା ବର୍ଷ ପ୍ରଥମ ଭାଗ ସୁଦ୍ଧା ସେମାନଙ୍କର ପ୍ରଶିକ୍ଷଣ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି ।

wp:html /wp:html

ସୂଚନାଯୋଗ୍ୟ, ବାୟୁସେନାର ୨୫ ଜଣ ପାଇଲଟଙ୍କ ଭିତରୁ ନିଖିଳଙ୍କ ସମେତ ଉକ୍ତ ୪ ପାଇଲଟଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ଭିତରୁ ୩ ଜଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ୨୦୨୨ ମସିହାରେ ମହାକାଶକୁ ପ୍ରେରଣ କରାଯିବାକୁ ଥିବା ମାନବଚାଳିତ ମହାକାଶଯାନ ‘ଗଗନାୟନ’ରେ ଯାତ୍ରା କରିବେ ଏବଂ ମହାକାଶରେ ୭ ଦିନ ଯାଏଁ ଅବସ୍ଥାନ କରିବେ । ଏହି ମହାକାଶ ଅଭିଯାନ ପାଇଁ ୧୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ସୁଦପଡ଼ା ନିବାସୀ ତଥା ଆଇନଜୀବୀ ଅଶୋକ ରଥ ଏବଂ କୁସୁମ ରଥଙ୍କ ପୁଅ ନିଖିଳ ୧୯୯୮ ମସିହାରେ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ମ୍ୟାଟ୍ରିକ୍‌ ପାସ କରି ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ଯୁକ୍ତ୨ ପଢ଼ିଥିଲେ । ପରେ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଯୁକ୍ତତିନି ପଢ଼ିବା ବେଳେ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ)ର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାୟୁସେନା ବିଭାଗରେ ଶିକ୍ଷା ଗ୍ରହଣ କରିଥିଲେ । ୨୦୦୩ରେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଭାବେ ଯୋଗଦେଇ ବର୍ତ୍ତମାନ ସେ ଫାଇଟର କ୍ରାଫ୍‌ଟ ‘ସୁଖୋଇ’ ଚଳାଉଥିଲେ ଏବଂ ଚଣ୍ଡିଗଡ଼ସ୍ଥିତ ଏୟାରବେସ୍‌ରେ କାର୍ଯ୍ୟରତ ଅଛନ୍ତି ।

ସବୁଠାରୁ ରୋଚକ କଥା ହେଲା, ନିଖିଳଙ୍କ ପତ୍ନୀଙ୍କ ନାମ ମଧ୍ୟ ଗଗନ। ତାଙ୍କର ଗୋଟିଏ ୯ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି । ଭାରତର ଏହି ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ମିଶନ ଗଗନାୟନ ପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଫଳାଫଳ ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିଲା । ଏଥିରେ ନିଖିଳଙ୍କ ସମେତ ଅନ୍ୟ ତିନିଜଣ ମନୋନୀତ ହୋଇଥିଲେ। ଏହି ଚୟନ ପ୍ରକ୍ରିୟା ପାଇଁ ଲିଖିତ ପରୀକ୍ଷା ସମେତ କଠିନ ଶାରୀରିକ ପରୀକ୍ଷା, ଡାକ୍ତରୀ ପରୀକ୍ଷା ଆଦି କରାଯାଇଥିଲା । ଏହି ପରୀକ୍ଷା ବେଙ୍ଗାଲୁରୁ ଇନ୍‌ଷ୍ଟିଚ୍ୟୁଟ ଅଫ ଏରୋସ୍ପେସ ମେଡିସିନ୍‌ରେ ହୋଇଥିଲା । ଏହାପରେ ସେ ରୁଷିଆକୁ ପ୍ରଶିକ୍ଷଣ ପାଇଁ ଯାଇ ତାଲିମ ନେଉଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଏହି ମିଶନ ଗଗନାୟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ମସିହା ସ୍ୱାଧୀନତା ଦିବସ ସମାରୋହରେ ସୂଚନା ଦେଇଥିଲେ । ଏ ନେଇ ଚଳିତ ବର୍ଷ ମେ ମାସରୁ ଭାରତୀୟ ବାୟୁସେନା ଇସ୍ରୋ ସହ ଚୁକ୍ତି କରି ପ୍ରସ୍ତୁତି ଚଳାଇଛି । ଜିଏମ୍‌ଏଲଭି ମ୍ୟାନ-୩ ଜରିଆରେ ୨୦୨୧ରେ ଏହା ଉତ୍‌କ୍ଷେପଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.