ନ୍ୟୁଜ୭ ଅଭିଯାନକୁ ସୁଫଳ
28/07/2018 at 7:51 AM

ନ୍ୟୁଜ୭ ଅଭିଯାନର ବଡ଼ ପ୍ରଭାବ । ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ କେଉଁଠି ହେବ ତାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ କରିବାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ନ୍ୟୁଜ୭ ପୋଲରେ ଦର୍ଶକ ଦେଇଥିବା ମତକୁ ମାନିନେଇଛନ୍ତି ସରକାର ।
କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନ୍ୟୁଜ୭ ଦର୍ଶକଙ୍କ ସର୍ବାଧିକ ମତକୁ ମାନିଛନ୍ତି ସରକାର । ପୁରୀ ଜିଲ୍ଲା ସତ୍ୟବାଦୀରେ ହେବ ବହୁପ୍ରତିକ୍ଷୀତ ଓଡ଼ିଆ ବିଶ୍ବବିଦ୍ୟାଳୟ । ରାଜ୍ୟ କ୍ୟାବିନେଟରେ ଏ ନେଇ ଲାଗିଛି ମୋହର । ପଞ୍ଚସଖାଙ୍କ ସାଧନାସ୍ଥଳରେ ଓଡ଼ିଆ ଭାଷାକୁ ନେଇ ପ୍ରଥମ ବିଶ୍ବବିଦ୍ୟାଳୟ କରିବାର ନିଷ୍ପତ୍ତି ନେଇ ସରକାର ।
ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ପ୍ରଦେଶରେ ଓଡ଼ିଆ ଭାଷାକୁ ନେଇ ହେବାକୁ ଥିବା ଐତିହାସିକ ଓଡ଼ିଆ ବିଶ୍ୱବିଦ୍ୟାଳୟ କେଉଁଠି ହେବା ଦରକାର? ତାକୁ ନେଇ ନ୍ୟୁଜ୭ ଆରମ୍ଭ କରିଥିଲା ଅଭିଯାନ । ପୂଜ୍ୟପୂଜାର ପରମ୍ପରାକୁ ସମ୍ମାନ ଦେଇ ଓଡ଼ିଆ ଭାଷା ଲାଗି ତ୍ୟାଗ କରିଥିବା କୌଣସି ଜଣେ ବରପୁତ୍ରଙ୍କ ଜନ୍ମ କିମ୍ବା କର୍ମ ସ୍ଥଳରେ ଏହି ବିଶ୍ବବିଦ୍ୟାଳୟକୁ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲା ନ୍ୟୁଜ୭ । ଅନେକ ବିଚାର ବିମର୍ଷ ପରେ ୨ଟି ସ୍ଥାନକୁ ବିକଳ୍ପ ଭାବେ ଉପସ୍ଥାପିତ କରି ଓପିନିୟନ ପୋଲ୍ କରିଥିଲା ନ୍ୟୁଜ୭ । ଗୋଟିଏ ମହାକବି ଜୟେଦବଙ୍କ ଜନ୍ମପୀଠ କେନ୍ଦୁବିଲ୍ୱ ଓ ପଞ୍ଚସଖା ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାଶ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସାଧନାସ୍ଥଳ ସତ୍ୟବାଦୀର ବକୁଳବନ । ସାରା ରାଜ୍ୟର ଲୋକେ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ବହୁ ସଂଖ୍ୟାରେ ପୋଲିଂରେ ଭାଗ ନେଇଥିଲେ । ଶେଷରେ ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳ ପଞ୍ଚସଖାଙ୍କ ସାଧନାସ୍ଥଳ ଲାଗି ଆସିଥିଲା ସର୍ବାଧିକ ମତ । ଯେଉଁମତକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲା ନ୍ୟୁଜ୭ । ଆଉ ଆଜି ସରକାର ସେହି ମତକୁ ସମ୍ମାନ ଜଣାଇ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଖାଲି ପଞ୍ଚସଖାଙ୍କ ସାଧନାସ୍ଥଳ ନୁହେଁ, ରାଜ୍ୟର ସମସ୍ତ ବରପୁତ୍ରଙ୍କ ଜନ୍ମ ଓ କର୍ମ ପୀଠ କିଭଳି ଯଥୋଚିତ୍ ସମ୍ମାନ ପାଇବ ସେ ନେଇ ଅଭିଯାନ ଜାରି ରଖିବ ନ୍ୟୁଜ୭ ।
ଭୁବନେଶ୍ବରରୁ ଆଲୋକ ପ୍ରଧାନ ଓ କିଶନ ବାରାଇଙ୍କ ସହ ନିମାପଡ଼ାରୁ ବିଭୁତି ମହାପାତ୍ର, ନ୍ୟୁଜ୭ ।