ଆଜି UAEରୁ ଫେରିବେ ୨୧୫ ଜଣ ପ୍ରବାସୀ ଓଡିଆ, ବିମାନର ମୁଖ୍ୟ ପାଇଲଟ୍ ଓଡିଆ ଝିଅ ମଧୁସ୍ମିତା

Published By : Prameya-News7 Bureau | June 14, 2020 IST

ବେଙ୍ଗାଲୁରୁ ୧୪।୬: ଲକ୍‌ଡାଉନ୍‌ କୋହଳ ପରେ ସାରା ବିଶ୍ବରୁ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ୟୁଏଇର ସାର୍‌ଜାହ୍‌ରୁ ୨୧୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ରବିବାର ଅପରାହ୍ନ ୨ଟାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ।

ସାର୍‌ଜାହ୍‌ରୁ ‘ଏୟାର ଆର୍‌ବିୟା’ ବିମାନରେ ଆସିବେ ପ୍ରବାସୀ ଓଡ଼ିଆ । ଓଡ଼ିଆ ଲୋକଙ୍କ ପାଇଁ ଏହି ବିମାନକୁ ଭଡ଼ାରେ ଆଣିବାରେ ସାହାଯ୍ୟ କରିଛି ଦୁବାଇରେ ଥିବା ଓଡ଼ିଆ ସଂଘ “ୟୁଏଇ ଓଡ଼ିଆ ସୋସାଇଟି’ । ପ୍ରଥମ ଥର ପାଇଁ ଏୟାର ଆର୍‌ବିୟାର ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବ । ୨୧୫ ଜଣ ପ୍ରବାସୀ ଓଡ଼ିଆ ପହିଲି ରଜ ଦିନ ଓଡ଼ିଶାରେ ପହଞ୍ଚୁଥିବାରୁ ଆନନ୍ଦିତ ଅଛନ୍ତି । ୟୁଏଇ ଓଡ଼ିଆ ସୋସାଇଟିର ଅଧକ୍ଷ ଡ. ଚନ୍ଦ୍ରଶେଖର ଖୁଣ୍ଟିଆ କହିଛନ୍ତି, ଆମ ସଂଗଠନ ଭାରତ ସରକାରଙ୍କ ସହାୟତାରେ ଦୁବାଇ ଓ ଆଖପାଖ ଅଞ୍ଚଳରେ ଫସିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ କାମ କରୁଛି । ୟୁଏଇ ଓଡ଼ିଆ ସୋସାଇଟି ପକ୍ଷରୁ ଦୁବାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଫେରୁଥିବା ଏହା ହେଉଛି ତୃତୀୟ ବିମାନ ।

ପ୍ରଥମ ଦୁଇଟି ବିମାନ ଭାରତ ସରକାରଙ୍କ ଦ୍ୱାରା ଅଣାଯାଇଥିବାବେଳେ ଆଜିର ବିମାନଟି ଭଡ଼ାରେ ଅଣାଯାଇଛି। ଏହି ବିମାନରେ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ପ୍ରବାସୀ ଓଡ଼ିଆଙ୍କ ବିମାନ ଭଡ଼ା ୟୁଏଇ ଓଡ଼ିଆ ସୋସାଇଟି ବହନ କରିଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଓଡ଼ିଶା ଫେରିବାକୁ ଥିବା ବିମାନର ମୁଖ୍ୟ ପାଇଲଟ୍ ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ । କ୍ୟାପ୍‌ଟେନ୍‌ ମଧୁସ୍ମିତା ପଟ୍ଟନାୟକଙ୍କ ଜନ୍ମ ବ୍ରହ୍ମପୁର ସହରରେ । ତାଙ୍କର ସ୍କୁଲ ପଢ଼ା ରାୟଗଡ଼ାରେ ହୋଇଥିବାବେଳେ ରମାଦେବୀ କଲେଜରେ ସେ ଗ୍ରାଜୁଏସନ କରିଥିଲେ । ପାଞ୍ଚ ବର୍ଷ ହେବ ସେ ‘ଏୟାର ଆର୍‌ବିୟା’ରେ ପାଇଲଟ ଥିବାବେଳେ ପୂର୍ବରୁ ସେ ଭାରତରେ ଡେକାନ ଏୟାର ଲାଇନ୍‌ସ, କିଙ୍ଗଫିସର ତଥା ଗୋ-ଏୟାରରେ ପାଇଲଟ ଥିଲେ ।

କ୍ୟାପ୍‌ଟେନ ମଧୁସ୍ମିତା କହିଛନ୍ତି, ସେ ପହିଲି ରଜ ଭଳି ଦିନରେ ଓଡ଼ିଆ ଭାଇଭଉଣୀଙ୍କୁ ନେଇ ଓଡ଼ିଶା ପହଞ୍ଚୁଥିବାରୁ ବହୁତ ଖୁସି । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଚିର ଋଣୀ ରହିବି । ୟୁଏଇ ଓଡ଼ିଆ ସୋସାଇଟି ଅଧକ୍ଷ ଡ. ଚନ୍ଦ୍ରଶେଖର ଖୁଣ୍ଟିଆ କହିଛନ୍ତି, ୨୦ ବର୍ଷ ହେବ ଦୁବାଇରେ ଓଡ଼ିଆଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ପହିଲି ରଜରେ ଓଡ଼ିଶା ମାଟିରେ ଅବତରଣ କରୁଥିବା ୨୧୫ ଓଡ଼ିଆଙ୍କ ପାଇଁ ମୁଁ ବହୁତ ଖୁସି । ଏ ନେଇ ସମସ୍ତଙ୍କ ପରିଶ୍ରମ ସାର୍ଥକ ହୋଇଛି ବୋଲି ଡ. ଖୁଣ୍ଟିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.