ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା ଘଟଣା, ଜୋରଦାର ପ୍ରତିବାଦ କଲେ ଓଡ଼ିଆବାସୀ

Published By : Prameya-News7 Bureau | September 29, 2021 IST

ଷଢେଇକଳା, ୨୯/୦୯:  ଓଡ଼ିଆ ଭାଷାକୁ ଅଣଦେଖା ଘଟଣାର ପ୍ରତିବାଦ । ଝାଡଖଣ୍ଡରେ ତାତିଛନ୍ତି ଓଡିଆ ଭାଷାଭାଷୀ ଲୋକେ । ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ମାନ୍ୟତା ଦେଇଥିବା ବେଳେ ଏହାକୁ ପୁଣି ହଟାଇବାକୁ ନେଇ ପ୍ରତିବାଦ ହୋଇଛି । ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।   

ସେପ୍ଟେମ୍ବର ୨୦୧୧ ମସିହାରେ ଓଡ଼ିଶା ଭାଷାକୁ ଝାଡଖଣ୍ଡ ସରକାର ରାଜ୍ୟର ଦ୍ବିତୀୟ ଭାଷା ମାନ୍ୟତା ପ୍ରଦାନ କରିଥିଲେ । ହେଲେ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଉଚ୍ଛେଦ କରିବା ପାଇଁ ଝାଡଖଣ୍ଡ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଷଢେଇକଳା -ଖରସୁଆଁ ପୂର୍ବ ସିଂହଭୂମ , ପଶ୍ଚିମ ସିଂହଭୂମ ସମେତ ଅନ୍ୟ କିଛି ଜିଲ୍ଲାରେ ବସବାସ କରୁଥିବା ୭୦ ପ୍ରତିଶତରୁ ଅଧିକ ଓଡ଼ିଆ ଭାଷାଭାଷୀଙ୍କ ପିଲାମାନେ ଚାହିଁଲେ ନିଜ ମାତୃଭାଷା ଓଡିଆରେ  ପାଠ ପଢିପାରିବେ ନାହିଁ । ଏହାସହ ଝାଡଖଣ୍ଡ ସରକାର ଓଡିଆ ମାନଙ୍କ ପାଇଁ କୌଣସି ଆଖି ଦୃଶିଆ କାର୍ଯ୍ୟ କରୁନାହାନ୍ତି । ଏପିରିକି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବି ଓଡିଆ ଭାଷାକୁ ସ୍ଥାନ ନଦେଇ ଅନ୍ୟାନ୍ୟ ରାଜ୍ୟଭାଷାକୁ ସ୍ଥାନ ଦିଆଯାଇଥିଲା । ଫଳରେ ଝାଡଖଣ୍ଡରେ ବସବାସ କରୁଥିବା ଶିକ୍ଷିତ ଓଡିଆ ଯୁବକ ଯୁବତୀମାନେ ନିଜ ମାତୃଭାଷାରେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

ଝାଡଖଣ୍ଡ ସରକାର ଓଡିଆଙ୍କ ଦାବି ପୂରଣ ନକେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆନ୍ଦୋଳନନକାରୀ ଓଡିଆ ମାନେ ଚେତାବନୀ ଦେଇଛନ୍ତି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯାହାକୁ ନେଇ ଓଡ଼ିଶାର ବିରୋଧୀ ଦଳମାନେ ବି ପ୍ରଶ୍ନ ଉଠାଇଛନ୍ତି । ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତେକ୍ଷପ କରନ୍ତୁ ବୋଲି ସେମାନେ ଦାବି ଉଠାଇଛନ୍ତି ।  

ସେପଟେ ଝାଡ଼ଖଣ୍ଡରେ ଦ୍ବିତୀୟ ଭାଷା ଭାବେ ଓଡ଼ିଆକୁ ପାଠ୍ୟପୁସ୍ତକରୁ ହଟାଇବା ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି। ଝାଡ଼ଖଣ୍ଡ ସହିତ ଆମର ସମ୍ପର୍କ ଭଲ ଅଛି। ସେଠାରେ ୧୫୦ ଓଡ଼ିଆ ସ୍କୁଲ ଅଛି  କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ବ ଦିଆଯିବ ସେଥିପ୍ରତି ଆମେ ନଜର ରଖିଛୁ। ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହୋଇ ଏ ବିଷୟରେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବା ଲାଗି ଦୃଷ୍ଟି ଆକର୍ଷଣ କରାଯିବ ।  ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.