ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି - ପୂର୍ବତନ ଓଡିଆ ଅଧିକାରୀ ଅନୁପ ପୂଜାରୀଙ୍କ ବିରୋଧରେ ଚାଲିବ ମାମଲା

Published By : Prameya-News7 Bureau | September 28, 2019 IST

ନୂଆଦିଲ୍ଲୀ - ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଏବେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ ଜେଲ୍‌ରେ ଅଛନ୍ତି । ଏହି ମାମଲାରେ ତିନି ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସିବିଆଇକୁ ଅନୁମତି ମିଳିଛି । ଏଥିରେ ଜଣେ ଓଡିଆ ଅଧିକାରୀ ରହିଛନ୍ତି ।
ପୂର୍ବତନ ଉପ ସଚିବ ଆର୍‌ ପ୍ରସାଦ , ନିର୍ଦ୍ଦେଶକ ପ୍ରବୋଧ ସକ୍‌ସେନା ଓ ଯୁଗ୍ମ ସଚିବ ଅନୁପ ପୂଜାରୀଙ୍କ ନାମରେ ମାମଲା ଚାଲିବ । ପୂର୍ବରୁ ସିନ୍ଧୁଶ୍ରୀ ଖୁଲ୍ଲାରଙ୍କ ନାମରେ ମାମଲା ରୁଜୁ ପାଇଁ ସରକାର ଅନୁମତି ଦେଇଥିଲେ ।
ସିନ୍ଧୁଶ୍ରୀ ଖୁଲ୍ଲାର ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଥିଲେ । ଅନୁପ ଅର୍ଥ ବିଭାଗର ଯୁଗ୍ମ ସଚିବ ଥିଲେ ।
ଏମାନେ ସମସ୍ତେ ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ଲଗାଣକୁ ଅନୁମତି ପ୍ରଦାନ ପ୍ରସଙ୍ଗରେ ଏଫ୍‌ଆଇପିବି ବା ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ୍‌ ବୋର୍ଡରେ ସାମିଲ ଥିଲେ ।

ସରକାର ଏମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ସହ ଏମାନେ ବିରୋଧରେ ମାମଲା ଚାଲିବ । ୨୦୦୭ ମସିହାରେ ଏକ ମିଡିଆ ଫାର୍ମ ପରେ ଆଇଏମ୍‌ଏକ୍ସ ମିଡିଆ ନାମରେ ପରିଚିତ ହୋଇଥିବା ଫାର୍ମକୁ ସହଯୋଗ କରିବା ଅଭିଯୋଗରେ ଏହି ପୂର୍ବତନ ବରିଷ୍ଠ ଅଧିକାରୀମାନଙ୍କ ନାମରେ ମାମଲା ଚାଲିବ ।
ସିଭିସି ବା ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏମାନଙ୍କ ନାମରେ ସିବିଆଇ ମାମଲା ରୁଜୁ କରିବା ପାଇଁ ଜୁନ୍‌ ମାସରେ ସରକାରଙ୍କୁ ସୁପାରିଶ୍‌ କରିଥିଲେ । ସିଭିସି ସିବିଆଇକୁ ଦୁର୍ନୀତି ନିବାରଣ ମାମଲାରେ ମାର୍ଗ ଦର୍ଶନ ଦେଇଥାଏ ।

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଅର୍ଥ ଓ ପର୍ସୋନେଲ୍‌ ବିଭାଗ ପକ୍ଷରୁ ସିବିଆକୁ ମାମଲା ରୁଜୁ ସହ ତଦନ୍ତକୁ ଆଗକୁ ନେବା ପାଇଁ ଅନୁମତି ମିଳିଛି ।
ଏହି ୪ ଜଣ ଅଧିକାରୀ ସେହି ସମୟରେ ଚିଦାମ୍ବରମଙ୍କ ମନ୍ତ୍ରାଳୟ ଅଧିନରେ କାମ କରୁଥିଲେ । ଗତମାସରେ ଏହି ୪ ଜଣ ଅଧିକାରୀଙ୍କୁ ଚିଦାମ୍ବରମଙ୍କ ସହ ମୁହାଁ ମୁହିଁ ଜେରା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.