Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

20/08/2018 at 5:49 AM

କେରଳର ବନ୍ୟାରେ ଫସିଛନ୍ତି ଶହ ଶହ ଓଡ଼ିଆ | ବନ୍ୟା ଘେରରେ ଥିବା ଓଡ଼ିଆଙ୍କ ପାଖରେ ଅନେକ ଜାଗାରେ ପ୍ରଶାସନ ପହଁଚିଥିବା ବେଳେ ଅନେକଙ୍କ ପାଖରେ ପ୍ରଶାସନ ପହଂଚିପାରିନି | ଏବେ ବି ଅନେକ ଓଡ଼ିଆ ଜଳବନ୍ଦୀରେ ଥାଇ ସହାୟତା ଲୋଡିଛନ୍ତି | କେରଳ ବନ୍ୟା ପିଡୀତମାନେ ଗତକାଲି ନ୍ୟୁଜ ସେଭେନ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ | ଖବର ନ୍ୟୁଜ ସେଭେନରେ ପ୍ରସାରଣ ପରେ ଉଦ୍ଧାର ଲାଗି ଓଡିଶା ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି | ଓଡିଶାର ସ୍ୱତନ୍ତ୍ର ଟିମ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଏହା ଛଡା ଫସିରହିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ କେରଳ ସରକାରଙ୍କୁ ଚିଠି ଲେଖିଛନ୍ତି ଓଡିଶା ସରକାର | ବିଶେଷକରି ପୁରୀ, ନୟାଗଡ଼, ଗଂଜାମ, କନ୍ଧମାଳ ଆଦି ଅନେକ ଅଂଚଳର ଓଡ଼ିଆ ଫସିରହିଥିବା ଜଣାପଡିଛି | କୃଷ୍ଣପ୍ରସାଦ ବ୍ଲକ, ବଜ୍ରକୋଟ ପଂଚାୟତର ୪୦ ଜଣ ଶ୍ରମିକ ଫସିରହିଥିବା ଖବର ନ୍ୟୁଜ ସେଭେନ କୁ ପଠାଇଥିଲେ | ନ୍ୟୁଜ ସେଭେନ ଖବର ପାଇବା ପରେ ଓଡିଶାରୁ ଯାଇଥିବା ଉଦ୍ଧାରକାରୀ ଟିମ ସହ ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର ସେମାନଙ୍କ ଠିକଣା ଦେଇଛି |
କେରଳରେ ବନ୍ୟା ପରର ପରିସ୍ଥିତି ଗମ୍ଭୀର ହୋଇପଡିଛି । ଗତକାଲି ଆଉ ୨୩ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଏବେ ୩୭୦କୁ ଛୁଇଁଛି। ୧୦ ଦିନ ହେବ ଲଗାଣ ବର୍ଷା ଓ ବନ୍ୟାରେ ଘାଣ୍ଟି ହେବାପରେ ଆଗାମୀ ୫ ଦିନ ପାଇଁ ବର୍ଷା ହେବାର ନାହିଁ ବୋଲି କହିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଜାରି କରାଯାଇଥିବା ରେଡ ଆଲର୍ଟକୁ ପାଣିପାଗ ବିଭାଗ ଉଠାଇନେଇଛି। ଆଇଏମଡିର ଏହି ସୂଚନା ବନ୍ୟା ବିପନ୍ନଙ୍କୁ ସମାନ୍ୟ ଆଶ୍ବସ୍ତ କରିଛି। ବର୍ଷା କମିବାରୁ ଏବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟକୁ ଜୋରାଦାର କରାଯାଇଛି। ପାଣି ଘେରରେ ରହିଥିବା ଶେଷ ଲୋକପର୍ଯ୍ୟନ୍ତ ପହଞ୍ଚି ତାକୁ ଉଦ୍ଧାରକରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ୍। ବନ୍ୟା ବିପଦ ଟଳିବାପରେ ଏବେ ରାଜ୍ୟବାସୀଙ୍କୁ ସଂକ୍ରମଣର ଭୟ ଘାରିଛି।୫ହଜାରରୁ ଉର୍ଦ୍ଧ୍ବ ରିଲିଫ ଶିବିରରେ ଆଶ୍ରୟ ନେଇଥିବା ୭ଲକ୍ଷରୁ ଉର୍ଦ୍ଧ୍ବ ବନ୍ୟା ବିପନ୍ନ ଲୋକଙ୍କୁ ବିଭିନ୍ନ ସଂକ୍ରମଣ ଜନିତ ରୋଗର ଆଶଙ୍କା ଦେଖାଦେଇଛି। ସଂକ୍ରମଣକୁ ରୋକିବା ଏବେ ରାଜ୍ୟସରକାରଙ୍କ ପାଇଁ ବଡ ଆହ୍ବାନ ପାଲଟିଛି। ଏଥିପାଇଁ ରାଜ୍ୟପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବତନ୍ତ୍ର ଦଳ ଗଠନ କରି ସ୍ବାସ୍ଥ୍ୟସେବାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେଇଛନ୍ତି। ସେପଟେ ବର୍ଷାରେ କେରଳର ପ୍ରାୟ ୧୦ ହଜାରରୁ କିଲୋମିଟରରୁ ଉର୍ଦ୍ଧ୍ବ ରୋଡ ଧୋଇଯାଇଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।ସଡକ ମରାମତି ସହିତ ସହିତ ଲୋକଙ୍କ ଥଇଥାନ ପାଇଁ ରାଜ୍ୟସରକାର ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ଏନଏଚଏଆଇ ଓ ପିଡବ୍ଲୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଧୋଇଯାଇଥିବା ସଡକ ପଥର ମରାମତି ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେପେଟେ ବନ୍ୟା ଜଳ କମିବାପରେ ବିଦ୍ୟୁତ ସରବରାହକୁ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବିଜୁଳି ସଂଯୋଗ ପୂର୍ବରୁ ପରିତ୍ୟକ୍ତ ଘରଗୁଡିକରେ ବିଜୁଳି ବ୍ୟବସ୍ଥାକୁ ଯାଞ୍ଚ କରି ତଦଜନିତ ଅଘଟଣକୁ ଏଡାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟାପ୍ରଭାବିତ ଅଞ୍ଚଳରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ରାଜ୍ୟସରକାର ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

   Related Posts