ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ, କର୍ମବୀରଙ୍କ ସ୍ମୃତିସ୍ଥଳ ସଫେଇ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

Published By : Prameya-News7 Bureau | August 04, 2019 IST

ଭୁବନେଶ୍ବର ୪|୮: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଛି ଓଡ଼ିଆ ସାମ୍ବାଦିକତା ଦିବସ । ଏହା ସହ ପ୍ରତି ସପ୍ତାହରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ ଅଭିଯାନର ଦ୍ବିତୀୟ ପାଳିରେ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଛି । ଅଭିଯାନର ସଦସ୍ୟମାନେ ରାଜଧାନୀର ପିଏମଜି ଛକରେ ଥିବା କର୍ମବୀରଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରିଥିଲେ । ଏହା ସହ ସ୍ମୃତିସ୍ଥଳକୁ ସଫେଇ କରିଥିଲେ । ପରେ କର୍ମବୀରଙ୍କ ସ୍ମୃତିଚାରଣ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

{"id":140824}

ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, ୧୮୬୬ ଅଗଷ୍ଟ ୪ରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା । ଯାହା କର୍ମବୀର ଗୌରୀଶଙ୍କର ଓ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ନ'ଅଙ୍କ ଦୁର୍ଭିକ୍ଷର କରାଳ ରୂପକୁ ପ୍ରଶାସନ ପାଖରେ ପହଞ୍ଚାଇବାର ପ୍ରମୁଖ ଭୂମିକା ସାଜିଥିଲା ଉତ୍କଳ ଦୀପିକା । ଏହା ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଦୀପିକାର ଏକ ପ୍ରମୁଖ ଅବଦାନ ରହିଥିଲା । ତେଣୁ ଉତ୍କଳ ଦୀପିକାର ଜନ୍ମଦିନକୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରିବା ସହ ଏହାର ପ୍ରତିଷ୍ଠାତା ସଂପାଦକ କର୍ମବୀର ଗୌରୀଶଙ୍କରଙ୍କ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଛି ।

ଏହି କାର୍ଯ୍ୟକ୍ରମରେ ଅନେକ ସ୍ବେଚ୍ଛସେବୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଆସନ୍ତା ରବିବାର ଅଭିଯାନ ପକ୍ଷରୁ ପିଏମଜି ଛକରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିସ୍ଥଳ ସଫେଇ କାର୍ଯ୍ୟକ୍ରମ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.