ଆଉ ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ : ଓଡିଆ ଆଇଏଏସ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଲେଫଟନାଣ୍ଟ ଗଭର୍ଣ୍ଣର

Published By : Prameya-News7 Bureau | October 26, 2019 IST

ଭୁବନେଶ୍ବର ୨୬।୧୦:  ଆଉ ଜଣେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ବ । ଓଡ଼ିଆ ଆଇଏଏସ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଲେଫଟନାଣ୍ଟ ଗଭର୍ଣ୍ଣର ।

ମୟୂରଭଞ୍ଜର ବେତନଟୀ ବାସିନ୍ଦା ଗିରିଶ ମୁର୍ମୁଙ୍କ ପରିବାର ଏବେବି ବେତନଟୀରେ ରହୁଛନ୍ତି । ବାପା ଭାଗବତ ମୁର୍ମୁ  ରେଲୱେରେ ବରିଷ୍ଠ ଅଧିକାରୀ ଥିଲେ ଓ ମାଆ ପାର୍ବତୀ ମୁର୍ମୁ ଡାକ ବିଭାଗର ଅଧିକାରୀ ଥିଲେ ।  ଉତ୍କଳ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ଗିରୀଶଚନ୍ଦ୍ର ୟୁନିଭର୍ସିଟି ଅଫ ବର୍ମିଂହାମରୁ ଏମ୍.ବି.ଏ କରିଥିଲେ  । ୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଥିଲେ ଗିରୀଶ ଚନ୍ଦ୍ର । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଗିରୀଶ ଚନ୍ଦ୍ର ମୁଖ୍ୟ ଶାସନ ସଚିବ ଥିଲେ ।  ପରେ ସେ ଅର୍ଥ ବିଭାଗରେ ବ୍ୟୟ ସଚିବ ମଧ୍ୟ ଥିଲେ । ଏପରିକି ଦେଶର  ରାଜସ୍ବ ବୃଦ୍ଧି ନେଇ ତାଙ୍କର ପ୍ରସ୍ତାବ ଅର୍ଥ ବିଭାଗକୁ ଏକ ନୂଆ ଦିଶା ଦେଇଥିଲା । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ  ଅତ୍ୟନ୍ତ ବିଶ୍ବସ୍ତ ଅଧିକାରୀଙ୍କ ମଧ୍ୟରେ ଗିରୀଶ ଗଣାଯାଇଥାନ୍ତି । ଯେଉଁଥିପାଇଁ ସେ ଜାମ୍ମୁ କାଶ୍ମୀର ଦାୟିତ୍ବ ଗିରୀଶଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀର ଏକ ରାଜନୈତିକ ପରିବର୍ତ୍ତନ ସମୟ ଦେଇ ଗତି କରୁଛି । ଅକ୍ଟୋବର ୩୧ ତାରିଖରୁ ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ଜାମ୍ମୁ  ଓ କାଶ୍ମୀର ।  ପ୍ରଥମ  ଉପରାଜ୍ୟପାଳ ଭାବେ ଗିରୀଶଚନ୍ଦ୍ରଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ଗିରିଶ ମୁର୍ମୁ ଉପରାଜ୍ୟପାଳ ହେବା ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । 

ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ୍ କରି ତାଙ୍ଭକୁ ଶୁଭେଚ୍ଛା ଜଣାଇଛନ୍ତି । ଜାମ୍ମୁ  ଓ କାଶ୍ମୀରର ଉପରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି ।  ସେହିପରି ରାଧାକୃଷ୍ଣ ମାଥୁର ଲଦାଖର ଉପରାଜ୍ୟପାଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.