‘ନାସା’ରେ ବୈଜ୍ଞାନିକ ଭାବେ ସ୍ଥାନ ପାଇଲେ ଓଡିଆ ଝିଅ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ବର ୧୩।୧୧: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡିଆ ଝିଅ ଓଁ ନାରାୟଣୀ । କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ ଓଁ ନାରାୟଣୀ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ତଥା ଏବେ ଆମେରିକାରେ ରହୁଥିବା ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ । ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ । ପିଲାବେଳୁ ଦେଖିଥିବା ସ୍ୱପ୍ନ ତାଙ୍କର ସତ ହୋଇଛି । ପୃଥିବୀର ପ୍ରସିଦ୍ଧ ମହାକାଶ ବିଜ୍ଞାନକେନ୍ଦ୍ର ନାସାରେ ସେ ଯୋଗଦେଇଛନ୍ତି । ଏ ନେଇ ସେ ଆରମ୍ଭରୁ ସବୁ ପ୍ରକାର ଚେଷ୍ଟା ମଧ୍ୟ କରିଛନ୍ତି । ଏଥିପାଇଁ ବିଶ୍ୱର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଛନ୍ତି । ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍‌ କଲେଜରେ ସେ ପାଠ ପଢିଛନ୍ତି । ସବୁଠି ସେ ମହାକାଶବିଜ୍ଞାନ ଓ ଏହା ସହ ସମ୍ପର୍କ ଥିବା ପଦାର୍ଥବିଜ୍ଞାନ ପଢ଼ିଥିଲେ । ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ପରେ ଉଚ୍ଚତ୍ତର ଗବେଷଣା ଜାରି ରଖିଥିଲେ । ଜର୍ମାନ, ଫ୍ରାନ୍ସ, ନେଦର୍‌ଲ୍ୟାଣ୍ଡ, ଲଣ୍ଡନ, ଚୀନ୍‌, ଜାପାନ, ଭିଏତନାମ୍‌, ବ୍ରାଜିଲ୍‌, ଚିଲି ଆଦି ଅନେକ ଦେଶରେ ଆୟୋଜିତ ମହାକାଶ ବିଜ୍ଞାନ ସମ୍ମିଳନୀ ଓ କର୍ମଶାଳାଗୁଡ଼ିକରେ ମଧ୍ୟ ସେ ଭାଗ ନେଇଛନ୍ତି ।

ଓଁ ନାରାୟଣୀଙ୍କ ଏହି ସଫଳତା ପଛରେ ତାଙ୍କ ପରିବାରର ମଧ୍ୟ ଅବଦାନ ରହିଛି । ତାଙ୍କ ପିତା ବିରଞ୍ଚିନାରାୟଣ ଓଡ଼ିଶା ବୋର୍ଡ଼ରେ ୧୯୭୯ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଥିଲେ । ଜଣେ ମେଧାବୀ ଛାତ୍ର ଭାବେ ଝିଅକୁ ମଧ୍ୟ ସମସ୍ତ ସହଯୋଗ ଦେଇଥିଲେ । ଓଁ ନାରାୟଣୀଙ୍କ ଜେଜେ ଅଲେଖ ନାୟକ ଓ ଜେଜେମା ଇନ୍ଦୁମତୀ ବର୍ତ୍ତମାନ ରାଜଧାନୀର କାନନବିହାର-୨ରେ ରହୁଛନ୍ତି । ନାତୁଣୀ ଓଁ ନାରାୟଣୀଙ୍କ ସଫଳତାରେ ସେମାନେ ବହୁତ ଖୁସି ଅଛନ୍ତି । ଓଁ ନାରାୟଣୀଙ୍କ ସଫଳତା କେବଳ ତାଙ୍କ ପରିବାର ନୁହଁ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବର ବିଷୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.