ମଡେଲିଂରୁ ବଲିଉଡ୍ : ସଫଳତା ପଛରେ ରହିଛି ମାଆ ଓ ବାପାଙ୍କ ଆଶୀର୍ବାଦ, କିପରି ଥିଲା ଓଡିଆ ଝିଅ ଅପ୍ସରାଙ୍କ ଯାତ୍ରା ?
12/07/2020 at 10:27 AM

ଭୁବନେଶ୍ୱର, ୧୨।୦୭: ନୟାଗଡରୁ ବଲିଉଡ୍ । ପ୍ରଥମ ଓଡିଆ ଝିଅ ଭାବେ ବଲିଉଡରେ ମୁଖ୍ୟ ନାୟିକା ଭାବେ ନଜର ଆସିବାକୁ ଯାଉଛନ୍ତି ଅପସରା ରାଣୀ । ବଲିଉଡର ନିର୍ଦ୍ଦେଶକ ତଥା ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ରରେ କାମ କରିବେ ଅପସରା ।
ଅପସରା ହେଉଛନ୍ତି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍ କଣ୍ଟିଲୋ ଗ୍ରାମର ଚନ୍ଦ୍ରଶେଖର ମହାରଣା ଓ ସନ୍ଧ୍ୟାରାଣୀଙ୍କ ସାନ ଝିଅ। ପିତା ଚନ୍ଦ୍ରଶେଖର ବାୟୁସେନା କର୍ମଚାରୀ ହୋଇଥିବାରୁ ଭାରତର ବିଭିନ୍ନ ସହରରେ କାର୍ଯ୍ୟ କରିଛନ୍ତି । ଅପସରାଙ୍କ ଜନ୍ମ ଡେରାଡୁନରେ ଓ ପାଠପଢା ସମୟ ବେଙ୍ଗାଲୁରୁ, ନୂଆଦିଲ୍ଲୀ ଓ କର୍ଣ୍ଣାଟକ ରାଜ୍ୟ ବେଲଗାଁରେ କଟିଛି ।
ତେବେ ସେ ନିଜର ଏହି ସଫଳ ଯାତ୍ରାର ଅନୁଭୂତି ବାଣ୍ଟିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ବହୁତ ଭଲ ପାଇବା ମିଳୁଛି । କିଛି ମାତ୍ରାରେ ଚାପ ମଧ୍ୟ ରହିଛି । ଅଭିନୟକୁ ନେଇ ସାମାନ୍ୟ ଚାପ ରହିଛି । ନୂଆ କରି ଗ୍ଲାମରେ ପାଦ ଥାପିଥିବା ଅପସରା ଏବେ ଏହି ଭଲ ପାଇବା ପରେ ଏକ୍ସାଇଟେଡ୍ ରହିଛନ୍ତି । ଏହି ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି । ତେବେ ଇଞ୍ଜିନିୟରିଂ ପଢୁଥିବା ବେଳେ ସେ ମଡେଲିଂ କରୁଥିଲେ । ଏପରିକି ୨୦୧୬ରେ ସେ ମିସ୍ ବାଙ୍ଗାଲୋର ଓ ମିସ୍ ୟୁନିଭର୍ସିଟି ଇଣ୍ଡିଆ ହୋଇଥିଲେ । ମଡେଲିଂରେ କିନ୍ତୁ ତାଙ୍କୁ ଏତେଟା ଭଲ ଲାଗୁ ନଥିଲା । କାରଣ ସେ ଅଧିକ କିଛି ଆଶା କରିଥିଲେ । ପ୍ରଥମେ ସେ ଚିନ୍ତିତ ଥିଲେ । କିପରି ସୁଯୋଗ ମିଳିବ ସେ ତାହା ଚିନ୍ତା କରୁଥିଲେ । ଏପରିକି କେବେ ଆଗକୁ ବଢିପାରିବେନି ବୋଲି ମଧ୍ୟ ଏକଦା ତାଙ୍କ ମନକୁ ଆସିଥିଲା ।
ସେ ଆହୁରି କହିଛନ୍ତି ଯେ, ପରିଶ୍ରମ ଓ ଭାଗ୍ୟ ବଳରେ ସେ ସୁଯୋଗ ପାଇଛନ୍ତି । ରାମ ଗୋପାଳ ବର୍ମା ତାଙ୍କୁ ଏକ ଷ୍ଟେଜରେ ଡ୍ୟାନ୍ସ କରିବା ସମୟରେ ଦେଖିଥିଲେ । ଏହାପରେ ନମ୍ବର ଆଣି କଥା ହୋଇଥିଲେ ଓ ଫିଲ୍ମରେ ସୁଯୋଗ ଦେବେ ବୋଲି କହିଥିଲେ । ପ୍ରଥମେ ଅପ୍ସରା ସେ ଏହାକୁ ବିଶ୍ୱାସ କରିପାରି ନଥିଲେ । ତେବେ ତାଙ୍କ ପାଖରେ ଥିବା ଆତ୍ମବିଶ୍ୱାସ ଓ ପ୍ରତିଭାକୁ ସେ ଚିହ୍ନିପାରିଥିଲେ । ନର୍ଭସ ଥିଲେ ମଧ୍ୟ ଅପସରାଙ୍କୁ ଅଭୟ ପ୍ରଦାନ କରୁଥିଲେ ରାମ ଗୋପାଳ ।
ଅପସରା ଆହୁରି କହିଛନ୍ତି ଯେ, ସେ ଓଡିଶାର ଗର୍ବ ହେବାକୁ ଚାହୁଁଛନ୍ତି । ନିଜକୁ ଭଲ ଭାବେ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ତେବେ ଏହି ଯାତ୍ରା ପଛରେ ତାଙ୍କ ମାଆଙ୍କର ହାତ ଥିବା କହିଛନ୍ତି । ତାଙ୍କ ମାଆ ହିଁ ତାଙ୍କୁ ପିଲାଦିନୁ ଷ୍ଟେଜରେ ଡ୍ୟାନ୍ସ୍ କରିବା ଶିଖାଇଛନ୍ତି । ବାପାଙ୍କ ସମର୍ଥନ ମଧ୍ୟ ରହିଛି । ବାପାଙ୍କୁ ପଚାରି ସେ ଫିଲ୍ମରେ ସାଇନ୍ କରନ୍ତି ବୋଲି କହିଛନ୍ତି ।