ରାଜ୍ୟ ପାଇଁ ଗୌରବ ଆଣିଲେ ଅଦିତି, ପ୍ରଥମ ଓଡିଆ ଝିଅ ଭାବେ ସିଡିଏସ ମହିଳା ଟପ୍ପର

Published By : Prameya-News7 Bureau | November 08, 2020 IST

ଭୁବନେଶ୍ୱର,୦୮।୧୧:  ଓଡିଶା ପାଇଁ ଗର୍ବ ଆଣିଛନ୍ତି ଢେଙ୍କାନାଳର ଅଦିତି ପରିଡା । ଅଦିତ କମ୍ବାଇଣ୍ଡ୍ ଡିଫେନ୍ସ ସର୍ଭିସ୍ ବା ସିଡିଏସ ପରୀକ୍ଷାରେ ସାରା ଦେଶରେ ମହିଳାମାନଙ୍କ ମଧ୍ୟରେ ସେ ଟପ୍ପର ହୋଇଛନ୍ତି । ଶନିବାର ସିଡିଏସର ଫଳାଫଳ ପ୍ରକାଶିତ ହେବା ପରେ ଅଦିତି ମହିଳାମାନଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଜଣା ପଡିଥିଲା । ପ୍ରଥମ ଓଡିଆ ଝିଅ ଭାବେ ଅଦିତି ସିଡିଏସରେ ଏପରି ଉପଲବ୍ଧି ହାସଲ କରିଛନ୍ତି ।

ଅଦିତିଙ୍କ ଘର ହେଉଛି ଢେଙ୍କାନାଳର ନାଧରା ଗ୍ରାମରେ । ସେ ଆର୍ମି ସ୍କୁଲରେ ନିଜର ଶିକ୍ଷାଲାଭ କରିଥିଲେ । ପରେ ସେ ପୁଣେରେ ଗଣ ଯୋଗାଯୋଗରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । କେବଳ ପାଠ ପଡା ନୁହେଁ ସେ ଭଲ ନାଚ କରିବା ସହ ଖେଳରେ ମଧ୍ୟ ତାଙ୍କର ରୁଚି ରହିଛି ।

ସେ ପିଲାଦିନୁ ଭାରତ ମାତାର ସେବା କରିବେ ବୋଲି ସ୍ୱପ୍ନ ଦେଖୁଥିଲେ । ଦେଶ ମାତୃକାର ସେବା କରିବା ପାଇଁ ତାଙ୍କର ଅଦମ୍ୟ ଇଚ୍ଛା ଥିଲା । କାରଣ ତାଙ୍କ ପିତା ଭୂଦେବ ପରିଡା ମଧ୍ୟ ସୈନ୍ୟବାହିନୀରେ କାର୍ଯ୍ୟ କରନ୍ତି । ଭୂଦେବ ବ୍ରିଗେଡିୟର ଅଛନ୍ତି । ଅଦିତି ଏହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ସିଡିଏସ ପରୀକ୍ଷା ଦେଇଥିଲେ ।  ସେ ଭଲ କରିବେ ବୋଲି ଆଶା ରଖିଥିଲେ କିନ୍ତୁ ପ୍ରଥମ ସ୍ଥାନ ହାସଲ କରିବେ ବୋଲି କଳନା କରିନଥିଲେ । ତେବେ ପ୍ରଥମ ସ୍ଥାନ ଅକ୍ତିଆର କରିବା ପରେ ତାଙ୍କର ଖୁସିର ସୀମା ରହି ନଥିଲା ।

ଝିଅର ସଫଳତା ପରେ ଅଦିତିଙ୍କ ମାଆ ସୁଜାତା ପରିଡା କହିଛନ୍ତି ଯେ, ସେ ଏଥିରେ ବହୁତ ଖୁସି ଅଛନ୍ତି । ଝିଅ ପରିବାର ସମେତ ସାରା ଓଡିଶା ପାଇଁ ଗର୍ବ ଆଣିଛି । ଅଦିତି ପିଲାଦିନୁ ପରିଶ୍ରମୀ ଥିଲେ ।

ସୂଚନାଯୋଗ୍ୟ, ସିଡିଏସରେ ମୋଟ୍ ୨୪୧ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହାମଧ୍ୟରୁ ୬୭ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ତାଲିମ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.