ଅଗ୍ନିଶମ କର୍ମଚାରୀଙ୍କ ମହାନତା, କରୋନା ମୁକାବିଲା ପାଇଁ ଦାନ କରିବେ ପ୍ଲାଜମା

Published By : Prameya-News7 Bureau | July 19, 2020 IST

କଟକ,୧୯|୦୭: ପଶ୍ଚିମବଙ୍ଗ ଅମ୍ଫାନ୍ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଯାଇଥିଲେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ । ସେଠାରୁ ଫେରିବା ପରେ ସେମାନେ କରୋନାରେ ସଂକ୍ରମିତ ହୋଇଥିଲେ । ନିକଟରେ ସେମାନେ ସୁସ୍ଥ ହୋଇ ଫେରିଛନ୍ତି । ପୁଣି ଥରେ ସେମାନେ ନିଜର ମହାନତା ଦେଖାଇବାକୁ ଯାଉଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡୁଥିବା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଗ୍ନିଶମ ସଂସ୍ଥାର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପ୍ରାଥମିକ ସ୍ତରରେ ୧୦ ଜଣ କରୋନା ବିଜୟୀ ଆଗ୍ନିକ କର୍ମଚାରୀ ପ୍ଲାଜ୍‌ମା ଦେବେ ବୋଲି ଅଗ୍ନିଶମ ସେବା ସଂସ୍ଥା ଡିଜି ଡ. ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌ ଯୋଗେ ଜଣାଇଛନ୍ତି । ସଂପୃକ୍ତ କର୍ମଚାରୀମାନେ ଏସ୍‌ସିବି ଟ୍ରାନ୍‌ସ୍‌ଫ୍ୟୁଜନ ମେଡିସିନ୍‌ ବିଭାଗରେ ଖୋଲିଥିବା ପ୍ଲାଜ୍‌ମା ବ୍ୟାଙ୍କରେ ପ୍ଲାଜ୍‌ମା ଦାନ କରିବେ ବୋଲି ସୂଚନା ଦିଆଯାଇଛି । ଗୁରୁତର ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ଉପରେ ଏବେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ଏସ୍‌ସିବି ଡାକ୍ତରଖାନାରେ ଏକ ପ୍ଲାଜ୍‌ମା ବ୍ୟାଙ୍କ୍‌ ଖୋଲାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ କରୋନା ବିଜୟୀ ପ୍ଲାଜ୍‌ମା ପ୍ରଦାନ କରି ନିଜର ମହନୀୟତା ଦେଖାଇଛନ୍ତି । ଅଗ୍ନିଶମ ସେବା ସଂସ୍ଥାର କରୋନା ବିଜୟୀ ଯୋଦ୍ଧାମାନେ ନିଜ ଶରୀରରୁ ପ୍ଲାଜ୍‌ମା ଦେବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗ୍ରହ ଦେଖାଇବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନେକ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.