ଆସନ୍ତାକାଲି ଆମେରିକାରେ ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର ‘ଛବିରାଣୀ’
22/11/2019 at 3:26 PM

କଟକ ୨୨।୧୧: ପ୍ରଥମ ଥର ପାଇଁ ଓଡିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାରେ ପ୍ରଦର୍ଶିତ ହେବ । ଆସନ୍ତାକାଲି ବବି ଇସଲାମ୍ ଙ୍କ ଏହି ଫିଲ୍ମଟି ଆମେରିକାର ବୋଷ୍ଟନ୍ ସହରରେ ପ୍ରଦର୍ଶିତ ହେବ । ଏଥିପାଇଁ ଓଡିଶା ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ବ୍ୟାପକ ପ୍ରସ୍ତୁତି କରିଛି ।

ଏହି ସୋସାଇଟି ମାଧ୍ୟମରେ ହିଁ ଫିଲ୍ମଟି ସେଠାରେ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଫିଲ୍ମ ୟୁନିଟ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବୋଷ୍ଟନ୍ ଓ ଏହାର ଆଖପାଖ ସହରରେ ପ୍ରାୟ ଦୁଇ ହଜାରରୁ ଅଧିକ ଓଡିଆ ବସବାସ କରୁଛନ୍ତି । ତେଣୁ ସେମାନେ ଏପରି ଏକ ବାସ୍ତବଧର୍ମୀ ଫିଲ୍ମ ଦେଖିବାର ସୁଯୋଗ ପାଇପାରିବେ ବୋଲି ଫିଲ୍ମର ପ୍ରଯୋଜକ ବବି ଇସଲାମ୍ କହିଛନ୍ତି ।

ପ୍ରଥମ ଓଡିଆ ଚଳଚ୍ଚିତ୍ର ଭାବେ ‘ଛବିରାଣୀ’ ଆମେରିକାରେ ପ୍ରଦର୍ଶିତ ହେଉଥିବାରୁ ଏହାକୁ ନେଇ ଫିଲ୍ମର ପୁରା ୟୁନିଟ୍ ବେଶ୍ ଆଶାବାଦୀ ଅଛନ୍ତି । ଆଗାମୀ ଦିନରେ ଆମେରିକାର ଅନ୍ୟ କିଛି ସହରରେ ମଧ୍ୟ ଫିଲ୍ମଟିକୁ ରିଲିଜ୍ କରିବା ପାଇଁ ଯୋଜନା ରହିଥିବା ବବି ଇସଲାମ୍ କହିଛନ୍ତି ।

୮୦ ଦଶକର ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ମ ‘ଛବିରାଣୀ’ । ବବି ଇସଲାମ୍ ଏହାର ଚିତ୍ରନାଟ୍ୟ, ନୃତ୍ୟ, କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ବ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା । ଜଗତସିଂହପୁର ଜିଲ୍ଲା ବିରିଡ଼ିର ବିଲୁଆଖାଇ ନଦୀପଠାରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ନବ ମହାପାତ୍ରଙ୍କ ଗର୍ଭବତୀ ପତ୍ନୀ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହି ମର୍ମସ୍ପର୍ଶୀ ଘଟଣାକୁ ଆଧାର କରି ପ୍ରସ୍ତୁତ ହୋଇଛି ଫିଲ୍ମ ‘ଛବିରାଣୀ’ ।