Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ସିଜେନ ସରିଯିବାରୁ ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ହୋଇଥିଲା ମୃତ୍ୟୁ

1/06/2019 at 7:16 PM

ଭୁବନେଶ୍ବର୧|୦୬: କଳ୍ପନା ଦାଶଙ୍କ ମରଶରୀର ଆସନ୍ତାକାଲି ଭୁବନେଶ୍ବରରେ ପହଂଚିବ । ତେବେ ତାପୂର୍ବରୁ ତାଙ୍କ ମୃତ୍ୟୁର କାରଣ ଜଣାପଡିଛି । ଗତକାଲି କଳ୍ପନାଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ଆସିଛି ରିପୋର୍ଟ । ଏଭେରେଷ୍ଟରୁ ଓହ୍ଲାଇବାବେଳେ ଅକ୍ସିଜେନ ସରିଯିବା କାରଣରୁ କଳ୍ପନାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

କଳ୍ପନା ଓଡ଼ିଶାର ଗର୍ବ ଗୌରବ । ଗିରି ଶୃଙ୍ଗ ଆରୋହଣର ରେକର୍ଡ ପାଇଁ ମନେ ରହିବେ କଳ୍ପନା ଦାଶ । ସଦା ସେ ପର୍ବତାରୋହୀଙ୍କ ପ୍ରେରଣା ହୋଇ ରହିଥିବେ । ଏପ୍ରିଲ ୨୩ ତାରିଖକୁ ଦୁଃଖର ସହ ମନେରଖିବେ ଓଡ଼ିଶା ବାସୀ । କାରଣ, ଏହି ଦିନ ହିଁ  ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଦୁଃଖଦ ମୃତ୍ୟୁ ହୋଇଛି ।ଏବେ ବିଶ୍ବର ସର୍ବବୃହତ ଗିରି ଶୃଙ୍ଗ ଏଭରେଷ୍ଟରୁ ତାଙ୍କ ମୃତଦେହ ଓଡ଼ିଶା ଆଣିବା ଲାଗି ରାଜ୍ୟସରକାର ଉଦ୍ୟମ କରିଥିଲେ ।

ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଦୁଃଖଦ ମୃତ୍ୟୁରେ ମ୍ରିୟମାଣ ସାରା ରାଜ୍ୟ  । ଚିନ୍ତା ଓ ଆଶଙ୍କାରେ ପର୍ବତାରୋହୀ । ଏପ୍ରିଲ ୨୩ , ଭାରତୀୟଙ୍କ ପର୍ବତାରୋହଣ ଇତିହାସରେ କଳା ଦାଗ ହୋଇ ରହିଥିବ ।ଦ୍ୱିତୀୟବାର ଏଭେରେଷ୍ଟ ଆରେହଣ ପରେ ଫେରିବା ବାଟରେ ପ୍ରାଣ ହରାଇଛନ୍ତି ୫୦ ବର୍ଷୀୟା  ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶ । ୨୦୦୮ ରେ କଳ୍ପନା ପ୍ରଥମ ଥର ଏଭରେଷ୍ଟ ଆରୋହଣ କରିଥିଲେ । ଏହାପରେ ଆମେରିକା, ଅଷ୍ଟ୍ରେଲିଆ ,ନେପାଳ ଏବଂ ଅନେକ ଦେଶର ବହୁ ଗିରି ଶୃଙ୍ଗରେ ଭାରତୀୟ ପତାକା ଉଡାଇଛନ୍ତି କଳ୍ପନା । କିନ୍ତୁ ଏକ ଦଶନ୍ଧି ପରେ କଳ୍ପନାଙ୍କ ଦ୍ୱିତୀୟ ଏଭରେଷ୍ଟ ଆରୋହଣ ଦୁଃଖଦ ପରିଣତିରେ ପରିଣତ ହୋଇଛି ।

କଳ୍ପନାଙ୍କ ଦୁଃଖଦ ମୃତ୍ୟୁଠୁ ଆହୁରି ଚିନ୍ତାଜନକ ଏଭରେଷ୍ଟରେ ଦୁର୍ଘଟଣା । କେବଳ କଳ୍ପନା ନୁହନ୍ତି, ଚଳିତ ଏଭରେଷ୍ଟ ଆରୋହଣ ଋତୁରେ ମଙ୍ଗଳବାର ସୁଦ୍ଧା ଦୁଇ ଭାରତୀୟଙ୍କୁ ମିଶାଇ ୧୧ ଜଣ  ପର୍ବତାରୋହୀଙ୍କ ଜୀବନ ଯାଇଛି । ନେପାଳ ପର୍ଯ୍ୟଟନ ବିଭାଗ ମୁଖପାତ୍ର ମୀରା ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ ୬୨ ବର୍ଷୀୟ ଆମେରିକୀୟ ଆଇନଜୀବୀ ଖ୍ରୀଷ୍ଟେଫର ଜନ କୁଲିଶ ଏଭେରେଷ୍ଟ ରୁ ଆବତରଣ ସମୟରେହିଁ  ପ୍ରାଣ ହରାଇଛନ୍ତି । ଅଷ୍ଟ୍ରିଆର ଏକ ପରିବାରର ଜଣେ ବୟସ୍କ ସଦସ୍ୟଙ୍କର ଏଭେରେଷ୍ଟ ଆରୋହଣର ସ୍ବପ୍ନ ପୂରଣ ପରେ ଜୀବନ ଯାଇଛି । ଚଳିତ ବର୍ଷ ଏପରି ଘଟଣାକ୍ରମରୁ ଏଭେରେଷ୍ଟ ଏବେ ଡେଥ୍ ଜୋନ୍‌ ପାଲଟିଛି । ସର୍ବେଚ୍ଚ ସୃଙ୍ଗରେ ପର୍ବତାରୋହୀଙ୍କ ଭୀଡ ଏପରି ଟ୍ରାଜେଡିର ମୁଖ୍ୟ କାରଣ କୁହାଯାଉଛି । ଆଉ ନେପାଳ ସରକାରଙ୍କ ଲାଭଖୋର ମନୋବୃତ୍ତିକୁ ଏନେଇ ଦାୟୀ ବି କରାଯାଉଛି । ତଥ୍ୟ ଅନୁଯାୟୀ  ଚଳିତ ବର୍ଷ ପ୍ରାୟ ୮୯୦  ପର୍ବତାରୋହୀ  ନେପାଳ, ତିବ୍ବତ ଏବଂ ଅନ୍ୟ ରାସ୍ତା ଦେଇ ଏଭରେଷ୍ଟ ଆରୋହଣ କରିଛନ୍ତି ।

ତେବେ ସେମାନଙ୍କ ମଧ୍ୟର ୩୮୧ ଜଣଙ୍କୁ ଏଭରେଷ୍ଟ ଆରୋହଣ ଯାତ୍ରାର ଅନୁମତି ମଂଜୁର କରିଛନ୍ତି । ପ୍ରତ୍ୟେକଙ୍କୁ ୧୧ ହଜାର ଡଲାର ଫି’ ବଦଳରେ ଏହି ଅନୁମତି ମଂଜୁର କରିଛି କାଠମାଣ୍ଡୁ  । ୧୯୫୩ ରେ ଏଡମଣ୍ଡ ହିଲାରି ଏବଂ ତେନଜିଙ୍ଗ ନରଗେଙ୍କ ପ୍ରଥମ ଏଭରେଷ୍ଟ ଆରୋହଣ ପରଠୁ  ଏହି ସର୍ବୋଚ୍ଚ  ଶୃଙ୍ଗରେ ଆରୋହଣ ଏକ ବ୍ୟବସାୟ  ପାଲଟିଛି । ଅଭିଜ୍ଞତା , ଯଥାର୍ଥ ତାଲିମ ଏବଂ କୁଶଳୀ ମାର୍ଗଦର୍ଶକଙ୍କ ବିନା ଦୁର୍ଘଟଣାର ଶିକାର ହୋଇଛନ୍ତି ପର୍ବତାରୋହୀ । ଏପରିକି ନେପାଳୀ ଗାଇଡ୍‌ ଏବଂ ଶେରପା ବି ସଂକଟର ସମ୍ମୁଖୀନ ହୋଇଛନ୍ତି ।

ଏଭରେଷ୍ଟରେ ପ୍ରାୟ ପ୍ରତିବର୍ଷ କିଛି ପର୍ବତାରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ତେବେ ସବୁଠୁ ବଡ ଟ୍ରାଜେଡି ଘଟିଥିଲା ୨୦୧୫ ରେ । ବରଫ ଝଡ ଯୋଗୁଁ ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା ୧୫ ପର୍ବତାରୋହୀ ପ୍ରାଣ ହରାଇଥିଲେ । ଏପରିକି  ବରଫାବୃତ୍ତ  ହିମାଳୟରେ ନଷ୍ଟ ନହୋଇ ଅନେକ ମୃତଦେହ ପଡିଥିବା ମଧ୍ୟ ଚର୍ଚ୍ଚା ହୁଏ ।  କେବଳ ଏଭରେଷ୍ଟ ନୁହେଁ ହିମାଳୟର ଅନ୍ୟ ଶୃଙ୍ଗରେ ବି ଏପରି ଅଘଟଣ ମାନ ଘଟି ଆସିଛି ।  ଚଳିତ ବର୍ଷ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ନିଖୋଜ ହୋଇଯାଇଛନ୍ତି । ଏପରି ଘଟଣା ପର୍ବାତାରୋହଣର ମାନ, ପର୍ବତାରୋହୀଙ୍କ ସ୍ଥିତି ନେଇ ଚିନ୍ତା ବଢାଇଛି ।  

   Related Posts