ମରିକି ବି ଅମର ‘ସୁରଜ’: ଦୁର୍ଘଟଣାରେ ଅକାମୀ ହୋଇଗଲା ମସ୍ତିଷ୍କ, ହେଲେ ଆଖି ବୁଜିବା ଆଗରୁ ୬ ଜଣଙ୍କୁ ଜୀବନ ଦେଇଗଲେ ଓଡିଆ ପୁଅ

Published By : Prameya-News7 Bureau | November 06, 2019 IST

ଭଞ୍ଜନଗର୬|୧୧: ସଶରୀରରେ ନାହାନ୍ତି ସତ ହେଲେ ଅନ୍ୟ ଶରୀରରେ ହୃତପିଣ୍ଡ, ଲିଭର, କିଡନୀ ହୋଇ ବଞ୍ଚିଛନ୍ତି ତ ପୁଣି କାହାକୁ ଆଖି ଦୁଇଟି ଦାନ କରି ସେମାନଙ୍କ ଅନ୍ଧାର ଦୁନିଆରେ ଭରି ଦେଇଛନ୍ତି ସୁନ୍ଦର ପୃଥିବୀର ଆଲୋକ।

{"id":180088}

ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ ହୋଇପାରେ ତାହା କଳ୍ପନା ବାହାରେ । ନିଜ ପୁଅର ଜୀବନ ଦୀପ ଲିଭି ଲିଭି ଆସୁଛି ଜାଣିବା ପରେ ପୁଅ ଶରୀରର ଅଙ୍ଗଗୁଡିକ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଓଡିଆ ପରିବାର ।

{"id":180089}

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲସିଂ ଗାଁର ବାବୁଲି ସେଠୀ ଓ ଗୀତାଞ୍ଜଳି ସେଠୀଙ୍କ ପୁଅ ସୁରଜ । ଦୀର୍ଘ ବର୍ଷ ହେବ ଏମାନେ ସୁରତରେ ରହି ଆସୁଥିବା ବେଳେ ସୁରଜ ସେଠାରେ ଏକ ଲୁଗା କମ୍ପାନୀରେ କାମ କରୁଥିଲେ । କିନ୍ତୁ ଏକ ଛୋଟିଆ ସଡକ ଦୁର୍ଘଟଣାରେ ଘୋଟିଯାଇଥିଲା ଏହି ହସ ଖୁସିର ପରିବାରରେ ଦୁଃଖର ବାଦଲ । ଗତମାସ ୨୯ତାରିଖରେ ଏକ ବସ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୁରଜ ।

{"id":180090}

ମାତ୍ର ଡାକ୍ତରଙ୍କ ସବୁ ପ୍ରୟାସ ପରେ ବି ସୁରଜ ଠିକ୍ ହୋଇପାରିଲେ ନାହିଁ । ସୁରଜଙ୍କ ମସ୍ତିଷ୍କ ଅକାମୀ (ବ୍ରେନଡେଡ୍) ହୋଇଯାଇଥିବା ଡାକ୍ତର କହିବା ସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ମଧ୍ୟ ଭଲ ହେବାର ଆଶା ନାହିଁ ବୋଲି ଡାକ୍ତରମାନେ ଜଣାଇଥିଲେ । ଡାକ୍ତରଖାନାରେ ୪ଦିନ ପଡିରହିବା ପରେ ଚଳିତମାସ ୨ତାରିଖରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ସୁରଜ ।

{"id":180091}

ତେବେ ଆଖିବୁଜିବା ପୂର୍ବରୁ ସୁରତର ଏକ ସ୍ବେଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ବାପାମାଆଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ ଆଉ ପରିବାର ଲୋକଙ୍କ ସହମତିରେ ସୁରଜଙ୍କ ଶରୀରରୁ ଚକ୍ଷୁ, କିଡନୀ, ହୃତପିଣ୍ଡ ଓ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗ କଢାଯାଇ ୬ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

{"id":180092}

ତେବେ ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ କରିଛନ୍ତି ସୁରଜ । ଯେଉଁ ପୁଅ ଦିନେ ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣିପାରୁଥିଲା, ମୃତ୍ୟୁ ପରେ ବି ସେ ଜିତିଗଲା ସବୁଦିନ ପାଇଁ । ବାସ୍ତବରେ ସୁରଜ ସଶରୀରରେ ନାହାନ୍ତି ସତ; ହେଲେ ସେ କାହା ଶରୀରରେ ହୃତପିଣ୍ଡ, ଲିଭର, କିଡନୀ ହୋଇ ବଞ୍ଚିଛନ୍ତି ତ ପୁଣି କାହାକୁ ଆଖି ଦୁଇଟି ଦାନ କରି ସେମାନଙ୍କ ଅନ୍ଧାର ଦୁନିଆରେ ଭରିଦେଇଛନ୍ତି ସୁନ୍ଦର ପୃଥିବୀର ଆଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.