ମହିଳା ଥାନାର ଦ୍ବାରସ୍ଥ ହେଲେ ଓଡିଆ ଅଭିନେତ୍ରୀ...

Published By : Prameya-News7 Bureau | June 26, 2020 IST

ଭୁବନେଶ୍ୱର୨୬/୦୬: ଓଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ପୁପୁଲ ଭୂୟାଁଙ୍କୁ ସୋସିଆଲ୍‌ ମିଡ଼ିଆରେ ହଇରାଣ କରୁଛନ୍ତି ଜଣେ ଯୁବକ । ବିଭିନ୍ନ ପ୍ରକାର ଖରାପ ମେସେଜ୍‌ ଦେବା ସହ ଅଭିନେତ୍ରୀଙ୍କ ମୋବାଇଲ୍‌ ନମ୍ବରକୁ ପୋଷ୍ଟ କରି ଖରାପ କଥା ଲେଖୁଛନ୍ତି । ଏନେଇ ଅଭିନେତ୍ରୀ ପୁପୁଲ ମହିଳା ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ କଟକର ସୁବ୍ରତ ମହନି ନାମକ ଜଣେ ଯୁବକ ଅଭିନେତ୍ରୀଙ୍କୁ ଫେସ୍‌ବୁକ୍‌ରେ ଯୋଗଯୋଗ କରି ନିଜକୁ ଓଲିଉଡ୍‌ ରିପୋର୍ଟ କରୁଥିବା ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ତା’ପରେ ଅଭିନେତ୍ରୀଙ୍କ ଫୋନ୍‌ ନମ୍ବର ମାଗି ନେଇଥିଲେ । ସାମ୍ବାଦିକ ଭାବି ସେ ତାଙ୍କୁ ନମ୍ବର ଦେଇଥିଲେ । ତେବେ ନମ୍ବର ପାଇବା ପରେ ସୁବ୍ରତ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଅଭିନେତ୍ରୀ ଉତ୍ତର ଦେଇଥିଲେ । ୨ ଦିନ ପରେ ପୁଣି ସୁବ୍ରତ ଅଭିନେତ୍ରୀଙ୍କୁ ବିଭିନ୍ନ ଖରାପ ପ୍ରଶ୍ନ ପଚାରିଥିଲେ।

ସୁବ୍ରତ ତାଙ୍କୁ କହିଥିଲେ, ତୁମେ ଯଦି ମୋତେ ଟଙ୍କା ନ ଦେବ ତା’ହେଲେ ମୁଁ ତୁମ ଫୋନ୍‌ ନମ୍ବରକୁ ବିଭିନ୍ନ ଆଡେ ବାଣ୍ଟି ଦେବି । ଏଭଳି ଧମକରେ ଡରି ନଥିଲେ ପୁପୁଲ । ସୁବ୍ରତ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାପେଜ୍‌ରେ ଅଭିନେତ୍ରୀଙ୍କ ମୋବାଇଲ ନମ୍ବର ଅପ୍‌ଲୋଡ୍‌ କରି ବିଭିନ୍ନ ଖରାପ କଥା ଲେଖିଥିଲେ । ଏହାପରେ ଅଭିନେତ୍ରୀଙ୍କୁ କିଛି ଅସାମାଜିକ ଯୁବକ ଫୋନ୍‌ କରିବା ସହ ମେସେଜ୍‌ କରିଥିଲେ । ବାଧ୍ୟ ହୋଇ ସେ ତାଙ୍କ ଫୋନ ବନ୍ଦ କରି ଦେଇଥିଲେ । ଏହାପରେ ମଧ୍ୟ ସୁବ୍ରତ ଫେସ୍‌ବୁକ୍‌ରେ ଖରାପ ମେସେଜ୍‌ କରିଥିଲେ । ତେଣୁ ବାଧ୍ୟ ହୋଇ ପୁପୁଲ ମହିଳା ଥାନାରେ ଏ ନେଇ ଲିଖତ ଅଭିଯୋଗ କରିଛନ୍ତି । ମହିଳା ଥାନା ଆଇଆଇସି ବନିତା ମହାରଣା କରିଛନ୍ତି, ଜଣେ ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଆମେ ଘଟଣାର ତଦନ୍ତ କରୁଛୁ । ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.