ମୁମ୍ବାଇରେ ଇସ୍କନର ଅଦିନିଆ ରଥଯାତ୍ରା: ବଢ଼ୁଛି ଅସନ୍ତୋଷ, ମୁହଁ ଖୋଲିଲେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ଶ୍ରୀମନ୍ଦିର ପ୍ରଶାସନର ଭାଙ୍ଗୁନି ନିଦ

Published By : Prameya-News7 Bureau | February 03, 2020 IST

ମୁମ୍ବାଇ୩/୨: ମୁମ୍ବାଇରେ ଇସ୍କନର ଅଦିନିଆ ରଥଯାତ୍ରାକୁ ୫ ଦିନ ବିତିଲାଣି । ହେଲେ ଶ୍ରୀମନ୍ଦିର ପ୍ରଶାସନର ନିଦ ଭାଙ୍ଗୁନି । ଅସନ୍ତୋଷ ବଢ଼ିଲାଣି । ଯେଉଁଥିପାଇଁ ଶ୍ରୀମନ୍ଦିର ଭକ୍ତ ପରିଷଦ ଇସ୍କନ ବିରୋଧରେ ଏତଲା ଦେଇଛି । ବରିଷ୍ଠ ଦଇତାପତି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏ ପ୍ରସଙ୍ଗ ଉଠାଇବେ । ସେପଟେ ଆଜି ପର୍ଯ୍ୟଟନ ମନ୍ତ୍ରୀଙ୍କ ବୟାନ ଜଗନ୍ନାଥପ୍ରେମୀଙ୍କୁ ନିରାଶ କରିଥିବାବେଳେ ମୁହଁ ଖୋଲିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ।

{"id":219701,"sizeSlug":"large"}

ମୁମ୍ବାଇରେ ଇସ୍କନ କରିଥିବା ଅଦିନିଆ ରଥଯାତ୍ରାକୁ ୫ ଦିନ ବିତିଲାଣି ।ହେଲେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କଣ ନିଷ୍ପତି ନେଲା ତାହା ଏବେ ବି ଅସ୍ପଷ୍ଟ । ପ୍ରଶ୍ନ ଉଠୁଛି ଜଗନ୍ନାଥଙ୍କ ନୀତିକାନ୍ତି ତଦାରଖ ପାଇଁ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି କାହିଁକି ଏପର୍ଯ୍ୟନ୍ତ ଚୁପ୍‌ ବସିଛି ।ବାରମ୍ବାର ଇସ୍କନ ପକ୍ଷରୁ ଏଭଳି ଭୁଲ୍‌ କରାଯାଉଥିଲେ ବି ଶ୍ରୀମନ୍ଦିର ପ୍ରଶାସନର ବେପରୁଆ ମନୋଭାବ ଯେମିତି ଇସ୍କନକୁ ଫ୍ରି ହ୍ୟାଣ୍ଡ୍‌ ଦେଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି ।ଶ୍ରୀମନ୍ଦିର ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।ଅଦିନିଆ ରଥଯାତ୍ରା ହିନ୍ଦୁ ଧର୍ମଭାବନାକୁ ଆଘାତ ଦେଉଥିବାରୁ ଏତଲାରେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଆଗାମୀ ବୈଠକରେ ଏ ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ।

{"id":219702,"sizeSlug":"large"}

ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି। ଏପଟେ ଆଜି ସଂସ୍କୃତି ମନ୍ତ୍ରୀଙ୍କ ବୟାନ ଆଜି ପୁଣି ନିରାଶ କରିଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ଏ ଘଟଣା ସରକାରଙ୍କ ଜ୍ଞାତସାରରେ ଅଛି। ରାଜ୍ୟ ବାହାରେ ହେଉ କି ବିଦେଶ ସେମାନେ ଆମ ନିୟମ ଭିତରେ ନାହାନ୍ତି ।ତଥାପି ସରକାର ଆଇନ ଅନୁଯାୟୀ  ପଦକ୍ଷେପ ନେବେ ।ଏପଟେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଏନେଇ ଆଜି ମୁହଁ ଖୋଲିଛନ୍ତି । କହିଛନ୍ତି ବିରୋଧ ଆହୁରି ଜୋରଦାର ହେବା କଥା । ଇସ୍କନକୁ ତାଗିଦ୍‌ କରିବାର ସମୟ ଆସିଛି । ଦିନ ପରେ ଦିନ ଗଡୁଛି । ଜନ ଅସନ୍ତୋଷ ବି ବଢୁଛି । ହେଲେ ଶ୍ରୀମନ୍ଦିର ପ୍ରଶାସନର ନିଦ ଭାଙ୍ଗୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.