Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓସିଏ ନିର୍ମାଣ କରିବ ଅତ୍ୟାଧୁନିକ କ୍ରିକେଟ୍ ଏକାଡେମୀ, ବ୍ୟୟ ହେବ ୫୦କୋଟି ଟଙ୍କା

2/08/2020 at 3:48 PM

କଟକ ୨।୮: କଟକ ଭୁବନେଶ୍ବର ମଧ୍ୟ ଭାଗରେ ଓସିଏ ନିର୍ମାଣ କରିବ ଅତ୍ୟାଧୁନିକ କ୍ରିକେଟ୍ ଏକାଡେମୀ । ପ୍ରାୟ ୪୦ଏକର ପରିମିତ ଜାଗାରେ ୫୦କୋଟି ଟଙ୍କା ବ୍ୟୟରେ ଏହି ଏକାଡେମୀ ପ୍ରତିଷ୍ଠା ହେବ ବୋଲି ଓସିଏ ସୂଚନା ଦେଇଛି । ସେହିପରି ଓସିଏ ଅନୁବନ୍ଧିତ ପ୍ରାୟ ୨୦ଟି ୟୁନିଟରେ ଟର୍ଫ ଓ୍ବିକେଟ୍ ପ୍ରସ୍ତୁତ କରାଯିବ ସହ ସ୍ବତନ୍ତ୍ର କୋଚ୍ ନିୟୋଜିତ ହେବ ବୋଲି ଓସିଏ କହିଛି । ସେପଟେ କ୍ରିକେଟ ବିଶେଷଜ୍ଞ କହିଛନ୍ତି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆନ୍ତରିକତାର ସହ ଯଦି ଓସିଏ ଏହା କରେ, ତେବେ ରାଜ୍ୟରୁ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ସ୍ତରର କ୍ରିକେଟର ବାହାରିପାରିବେ ।

ଓଡିଶାରେ ପ୍ରତିଷ୍ଠା ହେବ ଦ୍ବିତୀୟ କ୍ରିକେଟ୍ ଏକାଡେମୀ । କଟକ ଓ ଭୁବନେଶ୍ବରର ମଧ୍ୟ ଭାଗରେ ଏକ ଅତ୍ୟାଧୁନିକ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ ଘୋଷଣା କରିଛି। ଏହି ଏକାଡେମୀରେ ସୁଇମିଂ ପୁଲଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜିମ୍, ଟର୍ଫ ଓ୍ବିକେଟ୍, ରେସିଡେନସିଆଲ୍ କମ୍ପ୍ଲେକ୍ସ ରହିବ । ପ୍ରାୟ ୪୦ଏକର ପରିମିତ ଜାଗାରେ ହେବାକୁ ଥିବା ଏହି ଏକାଡେମୀର ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ ପ୍ରାୟ ୫୦କୋଟି ଟଙ୍କା । ଏହି ଏକାଡେମୀରେ ଏକକାଳୀନ ୩ଟି ପ୍ରାକ୍ଟିସ୍ ମ୍ୟାଚ୍ ଖେଳାଯିବାର ସୁବିଧା ରହିବ । ଦୁଇ ଶହରୁ ତିନି ଶହ ପିଲା ଏଠାରେ ରହି ପ୍ରଶିକ୍ଷଣ ନେଇ ପାରିବେ । ଏହା ସହ ଓସିଏ ଅନୁବନ୍ଧିତ ୨୦ଟି କ୍ଲବ୍ ଏବଂ ଜିଲ୍ଲା ୟୁନିଟ୍ ଗୁଡିକରେ ଟର୍ଫ ଓ୍ବିକେଟ୍ ପ୍ରସ୍ତୁତ କରି ସେଠାରେ ସ୍ବତନ୍ତ୍ର କୋଚ୍ ନିଯୁକ୍ତି ପାଇଁ ମଧ୍ୟ ଓସିଏ ନିଷ୍ପତ୍ତି ନେଇଛି।

ଓସିଏର ଏହି ପଦକ୍ଷେପ ସଫଳତାର ସହ ଲାଗୁ ହେଲେ ଓଡିଶାରୁ ଅନ୍ତର୍ଜାତୀୟ ସ୍ତରର କ୍ରିକେଟର ବାହାରିବାର ସମ୍ଭାବନା ଉଜ୍ଜ୍ବଳ ହେବ ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ପବନ କୁମାର ଅଗ୍ରଓ୍ବାଲ।

ପୂର୍ବରୁ ଓସିଏ ବାରବାଟୀ ନିକଟରେ ଏକ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିଛି । କିନ୍ତୁ ସ୍ଥାନ ଅଭାବରୁ ସେଠାରେ ପ୍ରାକ୍ଟିସ୍ ମ୍ୟାଚ୍ ସମ୍ଭବ ହେଉନାହିଁ ।

   Related Posts