ପାକିସ୍ତାନ ସେନାର ଆତଙ୍କୀ ଲିଙ୍କ୍ ନେଇ ଓବାମାଙ୍କ ବଡ ଖୁଲାସା, କହିଲେ- ଲାଡେନ ବିରୋଧୀ ଅପରେସନକୁ ଏଥିପାଇଁ ଗୁପ୍ତ ରଖିଥିଲୁ

Published By : Prameya-News7 Bureau | November 17, 2020 IST

ଓ୍ଵାଶିଂଟନ ୧୭।୧୧: ପାକିସ୍ତାନ ସେନାର କିଛି ଅଧିକାରୀ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କ ସଂପର୍କରେ ରହିଥିଲେ। ତେଣୁ ଓସାମା ବିନ ଲାଡେନର ଠିକଣା ଉପରେ ଚଢାଉ ବେଳେ ପାକିସ୍ତାନର ସେନାକୁ ସାମିଲ କରାଯାଇନଥିଲା। ଏହା କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମା। ସେ କହିଛନ୍ତି ଯେ, ଏବଟାବାଦରେ ଓସାମା ବିନ ଲାଡେନର ଆଡ୍ଡା ଉପରେ ଚଢାଉ ଅଭିଯାନରେ ପାକିସ୍ତାନକୁ ଏଥିପାଇଁ ସାମିଲ କରାଯାଇନଥିଲା କାରଣ ପାକିସ୍ତାନର ସେନା, ବିଶେଷ କରି ଏହାର ଗୁଇନ୍ଦା ସଂସ୍ଥାର କିଛି ଅଧିକାରୀ ତାଲିବାନ ଓ ଅଲକାଏଦାର ସଂପର୍କରେ ଥିଲେ। ସେମାନେ ଅନେକ ଥର ଆତଙ୍କବାଦୀଙ୍କୁ ନିଜର ସାମରିକ ପୁଞ୍ଜି ଭାବରେ ଆଫଗାନିସ୍ତାନ ଓ ଭାରତ ବିରୋଧରେ ବ୍ୟବହାର କରୁଥିଲେ।

ଓବାମା ‘ଏ ପ୍ରୋମିସ୍‌ଡ ଲ୍ୟାଣ୍ଡ’ ନାମକ ନିଜର ପୁସ୍ତକରେ ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳରେ ଏବଟାବାଦରେ ବିନ ଲାଡେନର ନିହତ ଅଭିଯାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆମେରିକା କମାଣ୍ଡୋଙ୍କ ଏହି ଅଭିଯାନରେ ୨୦୧୧ ମେରେ ଦୁନିଆର ସବୁଠୁ ମୋଷ୍ଟ ଓ୍ଵାଣ୍ଟେଡ୍ ଆତଙ୍କବାଦୀ ବିନ ଲାଡେନର ମୃତ୍ୟୁ ଘଟିଥିଲା। ଓବାମା କହିଛନ୍ତି ଏହି ଅତ୍ୟଧିକ ଗୁଇନ୍ଦା ଅଭିଯାନକୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ରୋବର୍ଟ ଗେଟ୍ସ ଓ ପୂର୍ବତନ ଉପରାଷ୍ଟ୍ରପତି ତଥା ବର୍ତ୍ତମାନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ବିରୋଧ କରିଥିଲେ।

ଆମେରିକାର ପ୍ରଥମ ଅଶ୍ଵେତ ରାଷ୍ଟ୍ରପତି ଓବାମା କହିଛନ୍ତି, ଏବଟାବାଦରେ ପାକିସ୍ତାନୀ ସୈନ୍ୟ  ଛାଉଣି ବାହାରେ ଏକ ସ୍ଥାନରେ ଲାଡେନ ରହୁଥିବା ସ୍ପଷ୍ଟ ଓ ବଳିଷ୍ଠ ସୂଚନା ମିଳିବା ପରେ ଅଲକାଏଦା ପ୍ରମୁଖକୁ ମାରିବା ପାଇଁ ଅନେକ ବିକଳ୍ପ ଉପରେ ବିଚାର କରାଯାଇଥିଲା। ଏହି ଅଭିଯାନର ଗୋପନୀୟତା ବଜାୟ ରଖିବା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା।

ଓବାମା କହିଛନ୍ତି, ଆମେ ଜାଣିଥିଲୁ ଯେ ବିନ ଲାଡେନଙ୍କୁ ମାରିବା ବିଷୟରେ ଆମର ଯୋଜନା ବିଷୟରେ ଯଦି କିଏ ଜାଣି ଦିଏ ତେବେ ଏହି ସୁଯୋଗ ହାତଛଡା ହୋଇଯିବ। ଏଥିପାଇଁ ପୂରା ସଂଘୀୟ ସରକାରରେ କେବଳ କିଛି ଲୋକଙ୍କୁ ଅଭିଯାନର ସୂଚନା ଦିଆଯାଇଥିଲା।

ଓବାମା କହିଛନ୍ତି, ନିଃସନ୍ଦେହ ପାକିସ୍ତାନ ସରକାର ଆତଙ୍କବାଦ ବିରୋଧୀ ଅନେକ ଅଭିଯାନରେ ଆମର ସହଯୋଗ କରିଛନ୍ତି। ଆଫଗାନିସ୍ତାନରେ ଆମର ସୁରକ୍ଷାବଳ ପାଇଁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଯୋଗାଣ ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି। ହେଲେ ଏହା ଖୁଲା ରହସ୍ୟ ଥିଲା ଯେ, ପାକିସ୍ତାନ ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥାର କିଛି ଅଧିକାରୀ ତାଲିବାନ ଓ ଅଲକାଏଦା ଆତଙ୍କବାଦୀ ସଂପର୍କରେ ଥିଲେ। ଏଥିପାଇଁ ବିନ ଲାଡେନ ବିରୁଦ୍ଧ ଅଭିଯାନରେ ପାକିସ୍ତାନକୁ ସାମିଲ କରାଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.