ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ନୂତନ ସରକାର: ଉଦ୍ଧବ ଠାକରେ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟର ନେତା ନିର୍ବାଚିତ

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧: ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି।  ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୨୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ  ନେବେ ।  ଅର୍ଥାତ ଆସନ୍ତାକାଲି ସଂଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ମଙ୍ଗଳବାର ଶିବସେନା,ଏନସିପି ଏବଂ କଂଗ୍ରେସର ମିଳିତ ବିଧାୟକ ଦଳ ବୈଠକରେ ଉଦ୍ଧବ ଠାକରେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ଉଦ୍ଧବ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତାକାଲି ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ସରକାର  ଗଠନ ପାଇଁ ଏନସିପି-କଂଗ୍ରେସ-ଶିବସେନା ମେଣ୍ଟ ଏବେ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶିଆରିକୁ ମେଣ୍ଟର ନେତାମାନେ ଏକାଠି ଭେଟିଛନ୍ତି। ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଏହି ମେଣ୍ଟର ନାଁ ରଖାଯାଇଛି ମହାରାଷ୍ଟ୍ର ବିକାଶ ଅଘାଦି। ଏବଂ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି ଉଦ୍ଧବ ଠାକରେ।

{"id":190412,"sizeSlug":"large"}

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବ। ସକାଳ ୮ଟାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ପ୍ରୋଟେମ ସ୍ପିକର କାଳିଦାସ କୋଲବଙ୍କର ଅନ୍ୟ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ତେବେ ସରକାର ଗଠନ ପରେ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀମାନଙ୍କ ପାଇଁ ଋଣଛାଡ଼ ନିଷ୍ପତ୍ତି ନିଆଯିବ ବୋଲି ମେଣ୍ଟର ନେତାମାନେ ସୂଚନା ଦେଇଛନ୍ତି।  ମୁମ୍ବାଇରେ ବିଶାଳ ଆକାରରେ ଶପଥ ଗ୍ରହଣ ସମାରୋହ ପାଇଁ ତିନି ଦଳ ପ୍ରସ୍ତୁତ ହେଉଛନ୍ତି। ସେପଟେ ବିଜେପିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଦେବେନ୍ଦ୍ର ଫଡନାଭିସଙ୍କ  ସମେତ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ।  ବୈଠକରେ  ବିଜେପି  ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛି।  ବିରୋଧୀ ଦଳରେ ବସିବା ଲାଗି ବିଜେପି ପ୍ରସ୍ତୁତ ଥିବା ସୂଚନା ଦେଇସାରିଛନ୍ତି ଦେବେନ୍ଦ୍ର ଫଡନାଭିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.