OAS ଅଫିସର ମାନିଲେନି କୋଭିଡ଼ ନିୟମ, ମନ୍ଦିରରେ ନିର୍ବନ୍ଧ ଭୋଜି, ଅତିଥି ହାଉଯାଉ

Published By : Prameya-News7 Bureau | July 05, 2020 IST

କେନ୍ଦ୍ରାପଡ଼ା ୦୫।୦୭ : ବର୍ତ୍ତମାନ ସମୟରେ କରୋନା ମହାମାରୀ ଚିନ୍ତାଜନକ ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ସଂକ୍ରମିତ ବାହାରୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି । କିପରି ଗୋଷ୍ଠୀ ସଂକ୍ରମଣର ରକ୍ଷା ପାଇବା , ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସାମାଜିକ ଦୂରତା ଓ ବାହାରେ ବୁଲିଲେ ମାସ୍କ ପିନ୍ଧି ଯିବ । ଏମିତି ଅନେକ ନିୟମ ନେଇ ଜନସାଧାରଣଙ୍କୁ ବୁଝାଉଛନ୍ତି । କିନ୍ତୁ ସରକାରଙ୍କ ନିୟମକୁ ସରକାରୀ ବାବୁ ନିଜେ ହିଁ ଖାତିର କରୁନଥିବାର ଦେଖିବାକୁ ମିଳିଛି । କେନ୍ଦ୍ରାପଡି ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି । ଯାହା ଜିଲ୍ଲାରେ ଆଲୋଡନା ସୃଷ୍ଟି କରିଦେଇଛି । ଜଣେ OAS ଅଫିସର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ନିୟମକୁ ଅବମାନନା କରିଥିବାର ଦେଖିବାକୁ ମିଳିଛି ।

ମନ୍ଦିର ଗହଳି ଭିତରେ ଜଣେ ଓଏଏସ୍‌ ଅଧିକାରୀଙ୍କ ନିର୍ବନ୍ଧକୁ ନେଇ ଦିନ ତମାମ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଛି । ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ କଟକଣା ନମାନି ବିବାଦ ଭିତରକୁ ଚାଲି ଆସିଛନ୍ତି ଏହି ଅଧିକାରୀଜଣଙ୍କ । ଜୁଲାଇ ୩୧ ଯାଏ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଜନଗହଳି ମଧ୍ୟରେ ନିର୍ବନ୍ଧ କାର୍ଯ୍ୟ ସମ୍ପାଦନ କରାଇ ଅଡୁଆ ଭିତରକୁ ଟାଣି ହୋଇଯାଇଛନ୍ତି । ଉକ୍ତ ମନ୍ଦିର ପୁଣି ରାଜ୍ୟ ସରକାରଙ୍କ ପର୍ଯ୍ୟଟନସ୍ଥଳୀ ତାଲିକାଭୁକ୍ତ । ସରକାରୀ କାର୍ଯ୍ୟ ଦିବସରେ ମନ୍ଦିର ଯାଇ ଜଣେ ଓଏଏସ୍‍ ଅଧିକାରୀ ନିର୍ବନ୍ଧ କାର୍ଯ୍ୟ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲାରେ ଗତ ଦୁଇ ମାସ ହେବ ପ୍ରଶାସନିକ ଅଧିକାରୀ ରୂପେ ଦାୟିତ୍ୱ ନେଇଛନ୍ତି ଏହି ବାବୁ ଜଣକ । ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି । ତେବେ ସେ ଏଇ କିଛି ଦିନ ତଳେ ବିବାହ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ତେଣୁ ଗତକାଲି ନିର୍ବନ୍ଧ ହୋଇଥିଲା । ଏଥିରେ କେତେକ ପଞ୍ଚାୟତ ସ୍ତରୀୟ କୁଜିନେତା ଓ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । ଯେଉଁମାନେ ବି ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମୁହଁରେ ମାସ୍କ୍‌ ନଥିଲା । ଅଫିସ କ୍ୱାର୍ଟର୍ସ ପରିସରରେ ରାତିରେ ପ୍ରାୟ ୪୦/୫୦ ଜଣଙ୍କ ପାଇଁ ଚିଙ୍ଗୁଡି, ମଟନ୍‌ ଭୋଜିଭାତର ଆୟୋଜନ କରାଯାଇଥିଲା । ତେବେ ଯେଉଁ ମନ୍ଦିରରେ ନିର୍ବନ୍ଧ ହେଲା ମନ୍ଦିର ଟ୍ରଷ୍ଟି ନିୟମ ଅନୁଯାୟୀ ଏଥିଲାଗି ଧାର୍ଯ୍ୟ ଫି ପଇଠ କରିବା ପରେ ରସିଦ ନେବେ ଦମ୍ପତି ଅଥବା ତାଙ୍କ ପରିବାର । ହେଲେ ଧାର୍ଯ୍ୟ ଫି’ଠାରୁ ଅଧିକ ଟଙ୍କା ଦେଇଥିଲେ ବି ରସିଦ କାଟିବାକୁ ମନା କରିଦେଲେ । ଅଧିକାରୀ ଜଣକ କହିଥିଲେ, ପରେ ଆସିଲେ ରସିଦ୍‍ କଟାଯିବ ।

ସେ ସ୍ଥାନୀୟ ଅଧିକାରୀ ହୋଇଥିବାରୁ ଉପସ୍ଥିତ ଥିବା ମନ୍ଦିର ଟ୍ରଷ୍ଟର ସଭ୍ୟା ଓ କୋଷାଧ୍ୟକ୍ଷ ଦମ୍ପତିଙ୍କ ନାମ ଠିକଣା ପଚାରିବା ପାଇଁ ସାହସ କରିପାରିଲେନି । ପ୍ରଥମତଃ କରୋନା ନିୟମ ଖିଲାଫ କରି ଗହଳି ମଧ୍ୟରେ ନିର୍ବନ୍ଧ କାର୍ଯ୍ୟ ସମାପନ, ମନ୍ଦିର ଟ୍ରଷ୍ଟର ନିୟମ ଭାଙ୍ଗି ନିଜର ନାମ ଓ ଠିକଣା ଦେଇ ରସିଦ୍‍ ନକାଟିବା ଓ ସରକାର ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିରକୁ ଭକ୍ତଙ୍କୁ ମନ୍ଦିରକୁ ଯିବା ପାଇଁ ବାରଣ କରିଥିଲା ବେଳେ ନିଜର ବିବାହ ନିର୍ବନ୍ଧ କାର୍ଯ୍ୟ କରାଉଥିବା ଏହି ପ୍ରଶାସନିକ ଅଧିକାରୀ କିପରି ନିୟମ ଖିଲାପ କରିପାରିଲେ? ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଥିବା ଏହି ମନ୍ଦିରରେ ସାଥିରେ ଥିବା ଏକାଧିକ ବ୍ୟକ୍ତିଙ୍କ ଗହଳିରେ ତାଙ୍କର ନିର୍ବନ୍ଧ କାମ କେମିତି ସମାପନ କଲେ ବୋଲି ତାହା ପ୍ରଶ୍ନ ଉଠୁଛି? ଜିଲ୍ଲାରେ କ’ଣ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆଇନ ବଦଳଗିଲା ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ପ୍ରଶ୍ନ କରିଛନ୍ତି । ଶୁଣିବାକୁ ମିଳୁଛି, ଅଧିକାରୀ ଜଣଙ୍କ ପୂର୍ବରୁ ଉକ୍ତ ଯୁବତୀଙ୍କ ସହିତ କୋର୍ଟରେ ବିବାହ କରିଥିଲେ । ଏବେ ବୈଦିକ ରୀତି ନୀତିରେ ପୁର୍ନବାର ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ବିଧି ମୁତାବକ କାର୍ଯ୍ୟକ୍ରମ ହେଉଛି । ସରକାରୀ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଜମିବାକୁ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.