ସତ କ’ଣ, ନ୍ୟାୟ ଦେବ କିଏ ? ବିଧବା ମହିଳାଙ୍କୁ ପ୍ରତାରଣା ଅଭିଯୋଗରେ ଯବାନ ଗିରଫ, ଏପଟେ ପୀଡିତାଙ୍କୁ ବାସନ୍ଦ କଲେ ଗାଁ ଲୋକେ
14/09/2020 at 5:56 PM

ସମ୍ବଲପୁର ୧୪/୦୯: ଠକିଦେଲେ ଓଏପିଏଫ୍ ଯବାନ । ବିବାହର ପ୍ରତିଶୃତି ଦେଇ ଜଣେ ବିଧବା ମହିଳାଙ୍କ ସହ ୪ ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଲା ପରେ ବାହାହେବାକୁ ମନାକରିବାରୁ ଥାନାରେ ମାମଲା । ଶେଷରେ ନ୍ୟାୟ ନପାଇବାରୁ ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳା । ତାସାଙ୍ଗରେ ଗାଁ ଲୋକଙ୍କ ଅଜବ ଜୁଲୁମ୍ । ଯବାନକୁ ଛାଡି ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କଲେ ଗାଁ ଲୋକେ । ଗାଁରେ ସଭା କରାଇ ମହିଳା, ତାଙ୍କ ୯ ବର୍ଷ ଶିଶୁ କନ୍ଯା ଓ ପରିବାର ଲୋକଙ୍କୁ ନିଆଁ ପାଣି ବନ୍ଦ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଲାଙ୍ଗପୋସ ଗାଁରେ ଘଟିଛି ଏହି ଘଟଣା ।
ଯେଉଁଠି ରକ୍ଷକ ସାଜୁଛି ଭକ୍ଷକ । କାହାକୁ ଭରସା କରିବେ ସାଧାରଣ ଲୋକେ । ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୪ ବର୍ଷ ଧରି ବିଧବା ମହିଳା ଶହ ଶାରିରୀକ ସମ୍ପର୍କ ରଖିଲା ପରେ ଛାଡିଦେଲେ ଓଏପିଏଫ୍ ଯବାନ । ଥାନାରେ ମାମଲା ପରେ ୯ ଦିନ ପାଇଁ ଜେଲ୍ ଗଲେ କୁଚିଣ୍ଡା ଥାନାର ଓଏପିଏଫ୍ ଯବାନ ଝସକେତନ ବାଗ୍ । ଜେଲ୍ ରୁ ବାହାରିଲା ପରେ ମହିଳାଙ୍କୁ ପୁଣି ଶାରିରୀକ ସମ୍ପର୍କ ରଖିବାକୁ ଖୋଲାଖୋଲି ଧମକ । ତେବେ ମହିଳା ପୁଣି ଥାନାର ଦ୍ବାରସ୍ଥ ହେଲେ । ହେଲେ ସେଠି ତାଙ୍କୁ ମହୁଲପାଲି ଥାନା ଅଧିକାରୀ ନ୍ୟାୟ ବଦଳରେ ଚପଲରେ ପିଟିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ମହିଳା ଓ ତାଙ୍କର ୯ ବର୍ଷର ନିଷ୍ପାପ ଶିଶୁ ଏବେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ମହୁଲପାଲି ଥାନା ଅଂଚଳର ବିଧବା ମହିଳାଙ୍କ ସ୍ବାମୀ ୮ ବର୍ଷ ପୂର୍ବେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପରେ କାମ କରି ନିଜ ଛୋଟ ଝିଅ ସହ ବାପ ଘରେ ରହୁଥିଲେ । ସେଭିତରେ କୁଚିଣ୍ଡା ଥାନାରେ କାର୍ଯ୍ଯରତ ଓଏପିଏଫ୍ ଯବାନ ଝସକେତନ ବାଗ ସହ ସମ୍ପର୍କରେ ଆସିଥିଲେ । ତେବେ ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳା ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ସମ୍ପୃକ୍ତ ଯବାନ । ତେବେ ବିବାହ କରିବାକୁ ମନାକରିବାରୁ କୁଚିଣ୍ଡା ଥାନାରେ ଏତଲା ଦେଇଥିଲେ ମହିଳା ।
ତେବେ ଏତଲା ଆଧାରରେ ଝସକେତନକୁ ୯ ଦିନ ଜେଲ୍ ହୋଇଥିବା କହିଛନ୍ତି ମହିଳା । ବର୍ତମାନ ଗତକାଲି ନିଆଁପାଣି ବାସନ୍ଦ କରିବାରୁ ପୁଣି ନିଜ ମହୁଲପାଲି ଥାନାରେ ଅଭିଯୋଗ କରିବାକୁ ଯିବାରୁ ପୋଲିସ ଦୁର୍ବ୍ୟବହାର କରିବା ସହ ଅଭିଯୋଗ ରଖିନଥିଲା। । ତେବେ ଶେଷରେ ବାଧ୍ଯ ହୋଇ ମହିଳା ଜଣକ ଏସପିଙ୍କ ଦ୍ବାରସ୍ଥ ହେବା ସହ ନ୍ଯାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ।